EducationFeaturedLatestNews

ରାଜ୍ୟରେ ନୂଆ ଜାତୀୟ ଶିକ୍ଷା ନୀତିଲାଗୁ ପାଇଁ ବିଜ୍ଞପ୍ତି ପ୍ରକାଶ କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ବର(ସଂକେତ ଟିଭି): ରାଜ୍ୟରେ ନୂଆ ଜାତୀୟ ଶିକ୍ଷା ନୀତି(ଏନଇପି)-୨୦୨୦ ଲାଗୁ ପାଇଁ ଗଣଶିକ୍ଷା ବିଭାଗ ବୁଧବାର ବିଜ୍ଞପ୍ତି ପ୍ରକାଶ କରିଛି । ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ଶିକ୍ଷାନୀତି ଲାଗୁ ହେବା ପରେ ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନିଆଯାଇ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି।

ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଗଣଶିକ୍ଷା ବିଭାଗରେ ଆସୁଥିବା ବେଳେ ଏହାକୁ ରାଜ୍ୟ ସରକାର ଏବେ ଲାଗୁ କରିବେ। ଆଞ୍ଚଳିକ ବିଷୟବସ୍ତୁ ଥିବା ପାଠ ପଢାଯିବ ଏବଂ ସେନେଇ ପାଠ୍ୟ ଖସଡ଼ା ମଧ୍ୟ ପ୍ରସ୍ତୁତ କରାଯିବ । ପିଲାମାନେ ମହାପୁରୁଷଙ୍କ ଜୀବନୀ, ରାଜ୍ୟର ଐତିହ୍ୟ ସଂସ୍କୃତି ବିଷୟରେ ଜ୍ଞାନ ଲାଭ କରିପାରିବେ । ଅନୁସନ୍ଧାନ, ନବସୃଜନ ଏବଂ ବ୍ୟବହାରିକ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଇ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏହା ୨୦୨୪-୨୫ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ କରୁଛି ବୋଲି ସରକାର କହିଛନ୍ତି। ଜାତୀୟ ଶିକ୍ଷା ନୀତି ୨୦୨୦ ମଧ୍ୟ ଶିଳ୍ପ ଇଣ୍ଟର୍ନସିପ୍ ମାଧ୍ୟମରେ ଦକ୍ଷତା ବିକାଶ ଉପରେ ଧ୍ୟାନ ଦେବ। ନିଯୁକ୍ତି ସୁଯୋଗ ଏବଂ ଚାକିରି ବଜାରର ଚାହିଦାକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ ହେବ।

ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କୁହାଯାଇଛି ଯେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଯତ୍ନର ସହ ବିଚାର କରିବା ପରେ ସରକାର ଶିକ୍ଷା ମନ୍ତ୍ରଣାଳୟ ଦ୍ବାାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ ଲଗୁ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ସ୍ଥାନୀୟ ପାଠ୍ୟକ୍ରମ ସହିତ ଜାତୀୟ ପାଠ୍ୟକ୍ରମ ଢାଞ୍ଚାକୁ ଓଡ଼ିଶା ରାଜ୍ୟ ପାଇଁ ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଭାବରେ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।