CulturalFeaturedLatestNews

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(ସଂକେତ ଟିଭି): ଭୁବନେଶ୍ୱର ରେଳ ଷ୍ଟେସନଠାରୁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲ୍ଲାର ୮୦୦ ଜଣ ବରିଷ୍ଠ ନାଗରିକ ମହାରାଷ୍ଟ୍ରର ପ୍ରସିଦ୍ଧ ତୀର୍ଥସ୍ଥଳୀ ସିରିଡି ଓ ନାସିକ ଦର୍ଶନ ପାଇଁ ଆଜି ଯାତ୍ରା ଆରମ୍ଭ କରିଛନ୍ତି । ପାରମ୍ପରିକ ପୂଜା ସହିତ ପତକା ଦେଖାଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥି ସହିତ ଟ୍ରେନ ଭିତରେ ବୁଲି ବୁଲି ତୀର୍ଥଯାତ୍ରୀମାନଙ୍କୁ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ ।

ସୂଚନା ଅନୁସାରେ, ରାଜ୍ୟର ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କ ଆଧ୍ୟାତ୍ମିକ ଓ ଧାର୍ମିକ ଆକାଂକ୍ଷା ପୂରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରାଯାଇଛି । ଚଳିତ ବର୍ଷ ରାଜ୍ୟର ୮୦୦୦ ବରିଷ୍ଠ ନାଗରିକଙ୍କ ପାଇଁ ୧୦ଟି ପର୍ଯ୍ୟାୟରେ ସିରିଡି, ନାସିକ, କୋଲକତା ଦକ୍ଷିଣକାଳୀ, କାମାକ୍ଷା, ଅଯୋଧ୍ୟା, ବାରଣାସୀ ଆଦି ତୀର୍ଥସ୍ଥାନ ଭ୍ରମଣର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାୟଗଡା ଓ ବାଲେଶ୍ୱର ଷ୍ଟେସନରୁ ଦୁଇଟି ପର୍ଯ୍ୟାୟରେ ଏହି ତୀର୍ଥଯାତ୍ରା ଟ୍ରେନ ଚଳାଚଳ କରିବ ।

ଏନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ ଉପସ୍ଥିତ ଥିଲେ ।