FeaturedLatestNews

ରାଜ୍ୟରେ ଆରମ୍ଭ ହେଲା ଶୀତକାଳୀନ ପକ୍ଷୀଗଣନା

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟରେ ଆଜିଠାରୁ ଶୀତକାଳୀନ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି । ସମସ୍ତ ୫୨ଟି ବନଖଣ୍ଡରେ ଏକକାଳୀନ ଗଣତି ଚାଲିଛି । ବିଶେଷ କରି ଚିଲିକା, ଭିତରକନିକା ଓ ହୀରାକୁଦରେ ସର୍ବାଧିକ ପକ୍ଷୀ ଦେଖିବାକୁ ମିଳୁଥିବାରୁ ଏହି ୩ଟି ସ୍ଥାନକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି ।

ପକ୍ଷୀ ଗଣନାରେ ଚିଲିକାରେ ୨୧ଟି ଟିମ୍‌,ହୀରାକୁଦରେ ୩୨ଟି ଟିମ୍‌,ପୁରୀ ବନ୍ୟପ୍ରାଣୀ ଡିଭିଜନରେ ୨୫ଟି ଟିମ୍‌, ବଣାଇ ଡିଭିଜନର ୭ଟି ରେଞ୍ଜରେ ୧୮ଟି ଟିମ୍,କୋରାପୁଟ ବନାଞ୍ଚଳର ୫ଟି ରେଞ୍ଜରେ ୫ଟି ଟିମ୍‌ ଓ ଭିତରକନିକାରେ ୧୮ଟି ଗ୍ରୁପ ନିୟୋଜିତ ହୋଇଛନ୍ତି । ଚିଲିକାରେ ସକାଳୁ ୬ଟାରୁ ଦିନ ୧୨ଟା ଯାଏ ହୋଇଥିବା ପକ୍ଷୀ ଗଣନାରେ ୨୧ଟି ଟିମ୍‌ ସାମିଲ ହୋଇଥିଲେ ।

ଚିଲିକା ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜ ଟାଙ୍ଗୀ, ବାଲୁଗାଁ, ସାତପଡା, ନୂଆପଡା, ରମ୍ଭା ଏରିଆରେ ଟିମ୍ ପକ୍ଷୀ, ଗଣନା କରିଛନ୍ତି । ୧୩୦ ଜଣ ଗଣନାକାରୀଙ୍କୁ ନେଇ ଗଠନ ହୋଇଥିଲା ୨୧ଟି ଟିମ୍‌ । ଚିଲିକା ଜଳରେ ଓ ସ୍ଥଳ ଭାଗରେ ଥିବା ପକ୍ଷୀଙ୍କର ଗଣନା ପାଇଁ ୧୮ଟି ଡଙ୍ଗା, ବାଇନକୁଲାର ସହ ଅନ୍ୟ ଟେକ୍ନିକାଲ ଯନ୍ତ୍ରାଂଶ ବ୍ୟବହାର କରାଯାଇଥିଲା । ଗଣନା ସମୟରେ ପର୍ଯ୍ୟଟକ ଓ ମାଛଧରା ଡଙ୍ଗା ଚଳାଚଳ ଉପରେ ବନ୍ୟପ୍ରାଣୀ ବିଭାଗ ରୋକ୍‌ ଲଗାଇଛି ।

ସେହିପରି ହୀରାକୁଦ ଜଳଭଣ୍ଡାରରେ ସକାଳୁ ୬ଟାରୁ ଆରମ୍ଭ ହୋଇଥିବା ପକ୍ଷୀ ଗଣନା ସଂଧ୍ୟାରେ ସରିବ । ୨୧ଟି ସେକ୍ଟର କରାଯାଇଥିବାବେଳେ ଜଳଭଣ୍ଡାରରେ ୫୩୩ ବର୍ଗ କିଲୋମିଟର ଯାଏ ଗଣନା କରାଯାଉଛି । ସେହିପରି ପାୱାର କେନାଲରେ ୫.୭ ବର୍ଗ କିଲୋମିଟର ଏଥିରେ ସାମିଲ ରହିଛି । ଚଳିତ ଥର ଛତିଶଗଡ ବର୍ଡରର ସୁଖାସୋଢା ଓ ଅନ୍ତରାଡି ଯାଏ ଗଣନା ହେଉଛି । ଗତ ବର୍ଷ ଠାରୁ ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିବା ଆକଳନ କରାଯାଉଛି । ସେହିପରି ଖିରେଇଟାଙ୍ଗିରି ସେକ୍ସନ ରାଜନଗର ନିକଟ ବୈତରଣୀ ଚଢେଇକୁଦର ଘାଟ ସହ ଖିଚେଇ ଟାଙ୍ଗିରି ଗାଁର ବଡବନ୍ଧ ଠାରେ ୨ଟି ଟିମ୍‌ରେ ୧୦ କର୍ମଚାରୀ ନିୟୋଜିତ ହୋଇଛନ୍ତି ।