ସୈଫ ଅଲି ଖାନଙ୍କୁ ଛୁରାମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ
ମୁମ୍ବାଇ (ସଂକେତ ଟିଭି): ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ବାଂଲାଦେଶୀ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ମୁମ୍ବାଇ ପୋଲିସ ରବିବାର ସକାଳୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ।
ଡିସିପି ଦୀକ୍ଷିତ୍ ଗଦାମ ମିଡିଆକୁ ସୂଚନା ଦେଇ କହିଛନ୍ତି, ଜାନୁଆରୀ ୧୬ ତାରିଖ ରାତି ୨ଟାରେ ଅଭିନେତା ସୈଫ ଅଲି ଖାନଙ୍କୁ ତାଙ୍କ ବାସଭବନରେ ଆକ୍ରମଣ କରାଯାଇଥିଲା । ସୈଫଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ବାନ୍ଦ୍ରା ପୁଲିସ ଥାଣେରୁ ଗିରଫ କରିଛି । ଅଭିଯୁକ୍ତ ହେଉଛି ମହମ୍ମଦ ଶରୀଫୁଲ୍ ଇସଲାମ୍ ଶହଜାଦ (୩୦)। ସେ ବାଂଲାଦେଶୀ ବୋଲି ଅନୁମାନ କରାଯାଉଛି । ହେଲେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପ୍ରାରମ୍ଭିକ ତଦନ୍ତ ଏବଂ ମିଳିଥିବା ସାକ୍ଷ୍ୟ ଆଧାରରେ ଅଭିଯୁକ୍ତ ବାଂଲାଦେଶୀ କି ନୁହେଁ ତାହା ଶୀଘ୍ର ଜଣାପଡ଼ିବ ବୋଲି ପୋଲିସ କହିଛି ।
ଏହାଛଡ଼ା ଅଭିଯୁକ୍ତର ଆଜି ମେଡିକାଲ ଟେଷ୍ଟ ହେବ ପରେ ତାକୁ କୋର୍ଟରେ ଚାଲାଣ କରାଯିବ । ପୋଲିସ ସୂଚନା ଅନୁଯାୟୀ, “ଅଭିଯୁକ୍ତ ଜଣକ ବାଂଲାଦେଶର ହୋଇଥିବା ନେଇ ସନ୍ଦେହ କରାଯାଉଛି । କାରଣ ତା ପାଖରେ ଭାରତୀୟ ହୋଇଥିବା ନେଇ କୌଣସି ପ୍ରମାଣ ପତ୍ର ନାହିଁ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ଜଣକ ବେଆଇନ ଭାବେ ଭାରତରେ ପ୍ରବେଶ କରିବା ପରେ ନାଁ ପରିବର୍ତ୍ତନ କରି ବିଜୟ ଦାସ ରଖିଥିଲା । ୫ରୁ ୬ ମାସ ତଳେ ସେ ମୁମ୍ବାଇ ଆସିଥିଲା । ଅଭିଯୁକ୍ତ ଜଣକ ହାଉସକିପିଙ୍ଗ ଏଜେନ୍ସିରେ କାମ କରୁଥିଲା । ଚୋରି କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ମହମ୍ମଦ ଶହଜାଦ ସୈଫଙ୍କ ଘରେ ପ୍ରବେଶ କରିଥିବା ଅନୁମାନ କରାଯାଉଛି । ଅଭିଯୁକ୍ତ ମହମ୍ମଦ ସୈଫ ଅଲ୍ଲୀଙ୍କ ଘରେ ପଶିଛି ବୋଲି ତାକୁ ଜଣା ନ ଥିଲା । ଅଚାନକ ଅଭିନେତା ତା ସାମ୍ନାରେ ଆସିଯାଇଥିଲେ । ଏହାପରେ ସେ ଛୁରୀରେ ହମଲା କରି ଦେଇଥିଲା ବୋଲି ପୋଲିସକୁ କହିଛି । ଅଭିଯୁକ୍ତ ବିରୋଧ ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ । ମହମ୍ମଦ ଶରୀଫୁଲ୍ ଇସଲାମ୍ ଶହଜାଦ ବାବଦରେ ପୋଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି ।
ପୋଲିସ ମୋବାଇଲ ଲୋକେସନରୁ ଅଭିଯୁକ୍ତକୁ ଟ୍ରାକ କରି ଧରିବାରେ ସଫଳ ହୋଇଥିଲା । ମୁମ୍ବାଇର ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ, ଅଭିଯୁକ୍ତ ମହମ୍ମଦ ସଜ୍ଜାଦ ଓରଫ ବିଜୟ ଦାସର ମୋବାଇଲ ଲୋକେସନ ବଡବଲି ପୋଲିସ ଷ୍ଟେସନ ଅଞ୍ଚଳରେ ମିଳିଥିଲା ।ପୋଲିସ ସର୍ଚ୍ଚ ଅପରେସନକୁ ଜୋରଦାର କରି ତାକୁ ଗିରଫ କରିଛି ।