FeaturedLatestNewsPolitics

ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ଲୋକ ହିଁ ନବ ଦାସଙ୍କ ହତ୍ୟାକାରୀ; ପ୍ରଦୀପ ପୁରୋହିତ

ଭୁବନେଶ୍ବର (ସଂକେତ ଟିଭି): ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ବ୍ୟକ୍ତି ହିଁ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଏହି ବୟାନ ଦେଇଛନ୍ତି ।

ସେ କହିଛନ୍ତି ଯେ ”ନବ ଦାସ ହତ୍ୟା ପଛରେ ଚକ୍ରାନ୍ତକାରୀ ଗୋଷ୍ଠୀର ହାତ ଥିବା ପୂର୍ବରୁ କହିଥିଲି। ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ବ୍ୟକ୍ତି ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ। କିନ୍ତୁ ଦୁର୍ଭାଗ୍ୟ ସେ ସମୟରେ ନବଙ୍କ ପରିବାର ନିରବ ରହିଲେ। କ୍ଷମତା ଲୋଭ, ସଂପତ୍ତି ସୁରକ୍ଷା ପାଇଁ ତଦନ୍ତ ଠିକ୍ ହେଉଥିବା କହିଲେ। ତେଣୁ ନବ ହତ୍ୟାକାଣ୍ଡର ଅଧିକ ତଦନ୍ତ ଆବଶ୍ୟକ ଏବଂ ପରଦା ପଛର ଖଳନାୟକମାନେ ଧରାପଡ଼ିବା ଦରକାର।”

ଯଦି ପ୍ରକୃତରେ ତାଙ୍କ ପରିବାର ନବ ଦାସଙ୍କ ହତ୍ୟାକାରୀକୁ ଧରିବାକୁ ଚାହୁଁଛନ୍ତି ତେବେ ଓଡ଼ିଶା ସରକାରଙ୍କ ନିକଟରେ ନିଜ ଅଭିଯୋଗ ଲିଖିତ ଭାବେ ଦିଅନ୍ତୁ । ନବ ଦାସଙ୍କ ହତ୍ୟାକାଣ୍ଡର ଅଧିକ ତଦନ୍ତ ହେବାର ଆବଶ୍ୟକତା ରହିଛି ଏବଂ ପରଦା ପଛର ଖଳନାୟକ ମାନେ ସାମ୍ନାକୁ ଆସିବା ଦରକାର ଅଛି ବୋଲି ପ୍ରଦୀପ କହିଛନ୍ତି ।

ସେପଟେ ପୂର୍ବତନମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସକହିଛନ୍ତି ଯେ ସିବିଆଇ ତଦନ୍ତ ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି। ଏବେ ପରିବାରରେ ଆଲୋଚନା ଚାଲିଛି, ଆଗକୁ ନିଶ୍ଚିତ ଲେଖିକି ଜଣାଇବୁ।

ଏହା ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ଦୀପାଳି କହିଥିଲେ, ‘ବର୍ତ୍ତମାନ ଭାଜପା ସରକାରରେ ଥିବା କେତେକ ବିଧାୟକ ମୋତେ ଓ ଆମ ପରିବାରକୁ ବଦନାମ କରିବା ଭଳି ମନ୍ତବ୍ୟ ଦେଉଛନ୍ତି। ଏପରିକି କିଛି ଗଣମାଧ୍ୟମ ଆମ ପରିବାର ଏବଂ ମୋ ବିଷୟରେ ବାରମ୍ବାର ଖବର ମଧ୍ୟ ପ୍ରସାରଣ କରୁଛନ୍ତି। ଏପରିକି ଭାଜପା ସରକାରରେ ଥିବା ୨ ବିଧାୟକ ବାରମ୍ବାର ମୋ ବାପାଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଇବାରେ କାହିଁକି ଦୀପାଳି ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି। ଏଣୁ ଆମ ପରିବାର ଏବଂ ମୋ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ମୋ ବାପା ତଥା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବେ କି ବୋଲି ପ୍ରଶ୍ନ କରିଛନ୍ତି। ଏହା ସହିତ ମୋର ଭାଇ ବିଶାଳ ଦାସଙ୍କୁ ବିନା ୱାରେଣ୍ଟ କିମ୍ବା ବିନା ଜୁଡ଼ିସିଆଲ ଆଦେଶରେ କାହିଁକି ଛତିଶଗଡ଼ରେ ପୋଲିସ ହାଜତରେ ରଖାଯାଇଥିଲା ତା’ର ଉତ୍ତର ମୋହନ ସରକାର ଦିଅନ୍ତୁ ବୋଲି ଦୀପାଳି କହିଛନ୍ତି।’

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ”ବିଳମ୍ବରେ ହେଲେ ବି ସ୍ବର୍ଗତଃ ନବଦାସଙ୍କ ଝିଅ ଦୀପାଳିଙ୍କ ବୁଦ୍ଧି ଉଦୟ ହୋଇଛି। କେବଳ ମୁଖ୍ୟମନ୍ତ୍ରୀଙ୍କୁ ଲେଖିକି ଦେଲେ ହେବନି, କୋର୍ଟଙ୍କୁ ବି ଲେଖିକି ଦେବାକୁ ପଡ଼ିବ। ଦଳ ହାରିଗଲା ପରେ ଏବେ ମନେ ପଡ଼ିଲା ବୋଲି ଜୟନାରାୟଣ କହିଛନ୍ତି।”

ସେହିପରି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ”ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି। ଏଥିରେ ଅନେକ ବଡ଼ ବଡ଼ ଲୋକଙ୍କର ସଂପୃକ୍ତି ଅଛି। ଘଟଣାର ସିବିଆଇ ତଦନ୍ତ ହେବା ଆବଶ୍ୟକ। CBI ତଦନ୍ତ ହେଲେ ହତ୍ୟା ପଛର ଷଡ଼ଯନ୍ତ୍ର ସାମ୍ନାକୁ ଆସିବ।”