ଜାନୁଆରୀ ୨୪ରୁ ଆରମ୍ଭ ହେବ ଆବାସ ଯୋଜନା ସର୍ଭେ
ଭୁବନେଶ୍ୱର (ସଂକେତ ଟିଭି): ଆବାସ ଯୋଜନା ପାଇଁ ସର୍ଭେ କାର୍ଯ୍ୟ ଜାନୁଆରୀ ୨୪ରୁ ଆରମ୍ଭ ହେବ । ଏଥିପାଇଁ ରାଜ୍ୟ ସରକାର ଆସନ୍ତା ୨୪ ତାରିଖରେ ଆବାସ ପୋର୍ଟାଲର ବିଧିବଦ୍ଧ ଭାବେ ଶୁଭାରମ୍ଭ କରିବେ । ହିତାଧିକାରୀ ଉଭୟ ଅଫ୍ଲାଇନ୍ ଏବଂ ଅନ୍ଲାଇନ୍ ଜରିଆରେ ଆବେଦନ କରିପାରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଏହି ସର୍ଭେ କାର୍ଯ୍ଯ ଦେଢରୁ ଦୁଇ ମାସ ଧରି ଚାଲିବ । ଏଥିପାଇଁ ବିଭାଗ ପୁରା ପ୍ରସ୍ତୁତ ରହିଛି । ଆବେଦନକାରୀମାନେ ପଞ୍ଚାୟତ ଗୁଡିକରେ ଅଫଲାଇନ୍ରେ କିମ୍ବା ଅନ୍ଲାଇନ୍ରେ ମଧ୍ୟ ଆବେଦନ କରିପାରିବେ । ଏଥିପାଇଁ ବିଭାଗ ପଞ୍ଚାୟତ ଗୁଡିକରେ ପଲ୍ଲୀ ସଭା କରି ବିଭାଗ ସଚେତନ କରିସାରିଛି । କେନ୍ଦ୍ର ସରକାର ଆବାସ ସଂଖ୍ୟା ୨ କୋଟିରୁ ୩ କୋଟିକୁ ବଢାଇଛନ୍ତି । ଓଡିଶାକୁ ଅଧିକ ମିଳିବା ନେଇ ଆଶା ରହିଛି । କେନ୍ଦ୍ର ସରକାର ନିୟମକୁ କୋହଳ କରିଛନ୍ତି । ବାଇକ୍, ଫ୍ରିଜ୍ ଥିଲେ ମଧ୍ୟ ଆବେଦନ କରିପାରିବେ । ମାସିକ ୧୫୦୦୦ ଆୟ ଥିଲେ ବି ଆବେଦନ କରିପାରିବେ । କାହାକୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ । ବାପାଠୁ ଭିନ୍ନ ହୋଇଥିବା ପୁଅ ବି ଆବେଦନ କରିପାରିବେ । ଏପିରିକି ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଆବେଦନ କରିପାରିବେ । ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିବାକୁ ହେବ । ଦୁଇ ମାସ ଭିତରେ ସର୍ଭେ ପ୍ରକ୍ରିୟା ସାରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।