ବଢିବ ତାପମାତ୍ରା : ଘନ କୁହୁଡ଼ି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର(ସଂକେତ ଟିଭି) ଆସନ୍ତା ଦୁଇ ଦିନ ପରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ଆକଳନ କରାଯାଇଛି । ଗତ ଦୁଇ ଦିନ ହେବ ରାଜ୍ୟରେ ଦିନର ତାପମାତ୍ରା ବୃଦ୍ଧି ହୋଇଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ବଢିବ ।
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ହାଲୁକା ଶୀତ ଅନୁଭୁତ ହେବ । ବିଶେଷ କରି କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ, ଝାରସୁଗୁଡା, ସୋନପୁର, କୋରାପୁଟ, ନବରଙ୍ଗପୁରରେ ହାଲୁକା ଶୀତ ଅନୁଭୁତ ହେବ ।
ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ରହୁଥିବାରୁ ରାତିରେ ଶୀତର ପ୍ରକୋପ ଅଧିକ ରହୁଥିବାବେଳେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । ତାପମାତ୍ରା ବୃଦ୍ଧି ସହ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି ନେଇ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି । ବିଶେଷ କରି ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା କମ୍ ରହିବ । ୨୨ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ନେଇ କେନ୍ଦ୍ରାପଡା, ଜଗତସିଂହପୁର, କଟକ ଏବଂ କନ୍ଧମାଳକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୨୩ ତାରିଖ ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଘନ କୁହୁଡି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା ୫୦ ମିଟର ତଳକୁ ଖସିଆସିବ। କିଛି ସ୍ଥାନରେ ଜିରୋ ଭିଜିବିଲିଟି ଅନୁଭୁତ ହେବା ନେଇ ସତର୍କତା ଜାରି କରାଯାଇଛି । ଏହାସହ କନ୍ଧମାଳ, କଳାହାଣ୍ଡି, କୋରାପୁଟ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ ଏବଂ ଢେଙ୍କାନାଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ । ଘନ କୁହୁଡି ସମ୍ଭାବନା ଥିବାରୁ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଳ ଅଞ୍ଚଳରେ ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।