BusinessFeaturedGeneralLatest

ଖସିଲା ସେୟାର ବଜାର, ନିବେଶକଙ୍କ ବୁଡିଗଲା ୭ଲକ୍ଷ କୋଟି ଟଙ୍କା

ମୁମ୍ବାଇ (ସଂକେତ ଟିଭି): ଆମେରିକା ରାଷ୍ଟ୍ରପତି ଭାବେ ଶପଥଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ ଦେଶଙ୍କ ଉପରେ ଟ୍ରେଡ ଶୁଳ୍କ ଯୋଜନାର ଘୋଷଣା କରିଛନ୍ତି । ଏହାର ପ୍ରଭାବ ମଙ୍ଗଳବାର ଦିନ ଭାରତୀୟ ସେୟାର ବଜାର ଉପରେ ପଡିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ଇଣ୍ଡେକ୍ସ ୧୩୦୦ ଅଙ୍କରୁ ଅଧିକ ଖସି ଯାଇଛି। କେବଳ ବିଏସଇ ନୁହେଁ ନ୍ୟାନସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ କାରବାର କାଳରେ ୩୬୮ ପଏଣ୍ଟ ଖସିଥିବା ଦେଖାଯାଇଛି। ଉଭୟ ବେଞ୍ଚମାର୍କ ସୂଚକାଙ୍କ ବିଏସଇ ସେନସେକ୍ସ ଓ ଏନଏସଇ ନିଫ୍ଟି ରେ ୨ ପ୍ରତିଶତ ହ୍ରାସ ଦେଖାଯାଇଛି।

ବିଏସଇ ମିଡକ୍ୟାପ ଓ ସ୍ମଲ କ୍ୟାପ୍ ଇଣ୍ଡେକ୍ସରେ କାରବାର କାଳରେ ୨-୨ପ୍ରତିଶତରୁ ଅଧିକ ହ୍ରାସ ଦେଖାଯାଇଛି। ଭାରତୀୟ ବଜାରରେ ବିକ୍ରି ଯୋଗୁ ନିବେଶକ ଗୋଟିଏ ଦିନରେ ୭.୪ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି। ବିଏସଇ ସୂଚୀବଦ୍ଧ କମ୍ପାନୀଙ୍କ ମୋଟ ବଜାର ପୁଞ୍ଜିକରଣ ୪୩୨ଲକ୍ଷ କୋଟି ଟଙ୍କାରୁ ହ୍ରାସ ହୋଇ ୪୨୫.୫ଲକ୍ଷ କୋଟି ଟଙ୍କା ହୋଇଯାଇଛି।

ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ସେ କାନାଡା ଓ ମେକ୍ସିକୋ ଉପରେ ଫେବୃଆରୀ ୧ ତାରିଖ ପୂର୍ବରୁ ୨୫ ପ୍ରତିଶତ ଟାରିଫ ଲାଗୁ କରିବାର ସମ୍ଭାବନା ସମ୍ପର୍କରେ ସୂଚିତ କରିଛନ୍ତି। ଏହା ଛଡା ଟ୍ରମ୍ପ ଚୀନ୍ ସମେତ ବ୍ରିକ୍ସ ଦେଶଙ୍କ ଉପରେ ଟାରିଫ ମହଙ୍ଗା କରିବାର ଧମକ ମଧ୍ୟ ଦେଇଛନ୍ତି। ଏହା ୟୁରୋପୀୟ ଦେଶମାନଙ୍କୁ ମଧ୍ୟ ଏକ ସଂକେତ । ଅନ୍ୟ ପଟେ ଫେବୃଆରୀ ୧ ତାରିଖ ଦିନ ଭାରତର ୨୦୨୫-୨୬ ବଜେଟ୍ ଆଗତ ହେବାର ଅଛି। ଏଣୁ ନିବେଶକଙ୍କ ନଜର ଏବେ ଆଗାମୀ ବଜେଟ୍ ଉପରେ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ ବଜେଟ୍ ଉପସ୍ଥାପନ କରିବେ। ଆଶା କରାଯାଉଛି ସରକାର ରାଜକୋଷିୟ ବିବେକକୁ କାୟମ ରଖି ଖର୍ଚ୍ଚକୁ ପ୍ରୋତ୍ସାହନ କରିବେ, ଗ୍ରାମୀଣ କ୍ଷେତ୍ରକୁ ମଜଭୁତ କରିବେ ଓ ମେନୁଫେକ୍ଚରିଂ ଏବଂ ଭିତ୍ତିଭୂମି ସମର୍ଥନ କରୁଥିବା ଭଳି ଉପାୟ ଘୋଷଣା କରିବେ।

ଏଥି ମଧ୍ୟରେ କମ୍ପାନୀମାନେ ଜାରି ଆର୍ଥିକ ବର୍ଷ ନିମନ୍ତେ ଡିସେମ୍ବର ତ୍ରୈମାସିକର ଫଳାଫଳ ଘୋଷଣା କରିଛନ୍ତି। ଏଥିରେ ଏପର୍ଯ୍ୟନ୍ତ ଯେଉଁ କମ୍ପାନୀମାନଙ୍କ ଫଳାଫଳ ଘୋଷଣା ହୋଇଛି ଏଥିରେ ନିବେଶକ ସେତେଟା ପ୍ରଭାବିତ ହୋଇ ନାହାନ୍ତି।