ରାଜ୍ୟର ୫୮ଟି ସବ୍ ଡିଭିଜନରେ ନିର୍ମାଣ ହେବ ଶୀତଳ ଭଣ୍ଡାର
ଭୁବନେଶ୍ବର(ସଂକେତ ଟିଭି): ରାଜ୍ୟର ୫୮ଟି ସବ୍ ଡିଭିଜନରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ହେବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ୱାଦିକ ସମ୍ମିଳନୀ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି । ରାଜ୍ୟରେ ପନିପରିବା ନଷ୍ଟ ନହେବା ପାଇଁ ଶୀତଳ ଭଣ୍ଡାର ଖୋଲିବା ନେଇ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି ।
ପୁଞ୍ଜି ବିନିଯୋଗ ସବସିଡି ଜରିଆରେ ୬୦ ପ୍ରତିଶତ ସବସିଡ଼ି ଯୋଗାଇ ଦେବେ ସରକାର । ଏହା ସହ ସରକାର ୬ କୋଟି ୫୦ ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ଉପରେ ସବସିଡି ଦେବେ । ରାଜ୍ୟ ସରକାର ୪ ଟି ସ୍ଲାବ ରେ ସହାୟତା ଯୋଗାଇ ଦେବେ । ବିଦ୍ୟୁତ ସବସିଡି ବି ଯୋଗାଇ ଦେବେ ସରକାର । ଅଣ କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାର କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ତଦନ୍ତ କରି ଚୟନ କରାଯିବ । ସେହି କ୍ଷେତ୍ରରେ ମଧ୍ୟ ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ । ଦେଢ଼ କୋଟି ଟଙ୍କା ର ଆର୍ଥିକ ସହାୟତା ବି ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଅନୁସୂଚିତ ଜାତି ଓ ଜନଜାତି ବର୍ଗ, ଟ୍ରାନ୍ସଜେଣ୍ଡର, ମହିଳା ହିତାଧିକାରୀଙ୍କ ପାଇଁ ନୂତନ ଶୀତଳ ଭଣ୍ଡାର ପାଇଁ ସ୍ଥାୟୀ ପୁଞ୍ଜି ନିବେଶ ପାଇଁ ୬୦ ପ୍ରତିଶତ ଅବା ସର୍ବାଧିକ ୬ କୋଟି ୫୦ ଲକ୍ଷ ଟଙ୍କା ସବସିଡ୍ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ସାଧାରଣ ବର୍ଗଙ୍କର ନିବେଶ ଖର୍ଚ୍ଚର ୫୦ ପ୍ରତଶିତ ଅବା ସର୍ବାଧିକ ୬ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡ୍ ପ୍ରଦାନ କରାଯିବାର ଯୋଜନା ରହିଛି । ଶୀତଳ ଭଣ୍ଡାର ୟୁନିଟ ଗୁଡ଼ିକୁ ଏପିସି କ୍ଲଷ୍ଟର ସହ ସଲଗ୍ନ କରାଯିବ ।
ଶୀତଳ ଭଣ୍ଡାର ସ୍ଥାପିତ ଅଞ୍ଚଳରେ କୃଷି ଉତ୍ପାଦନ କ୍ଲଷ୍ଟର ସ୍ଥାପନ କରାଯିବ । ଏହି ଯୋଜନାକୁ ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷ ଲାଗି ଆକଳନ କରାଯାଇଛି। ଏହି ଯୋଜନାରେ ୨୫୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।