ବାଲେଶ୍ବରରେ ଏକ୍ସପୋ ଓଡିଶା -୨୦୨୫ ଉଦଘାଟିତ
ବାଲେଶ୍ଵର(ସଂକେତ ଟିଭି): ବାଲେଶ୍ଵର ଶିଳ୍ପ ଓ ବାଣିଜ୍ୟ ସଂଘ (ବିସିଆଇସି) ପକ୍ଷରୁ ଆଇଟିଆଇ ପଡ଼ିଆରେ ଆୟୋଜିତ ଜାତୀୟ ସ୍ତରର ଶିଳ୍ପ ଓ ବାଣିଜ୍ୟ ମେଳା ‘ଏକ୍ସପୋ ଓଡିଶା -୨୦୨୫’ ଉଦଘାଟିତ ହୋଇଯାଇଛି। ଏହି ମେଳାକୁ ମୁଖ୍ୟଅତିଥ୍ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଉଦଘାଟନ କରିଥିଲେ । ଭାରତ ସରକାରଙ୍କ ଏମଏସଏମଇ ଓ ଓଡିଶା ଏମଏସଏମଇ ବିଭାଗ, ବାଲେଶ୍ଵର ଜିଲା ପ୍ରଶାସନ, ଜିଲା କ୍ଷୁଦ୍ର ଶିଳ୍ପ ସଂଘ, ଉତ୍ତର ଓଡ଼ିଶା ଶିଳ୍ପ ଓ ବାଣିଜ୍ୟ ମହାସଂଘ (ନୋସି) ସହଯୋଗରେ ଏହାର ଆୟୋଜନ କରାଯାଇଛି ।
ଏହି ଅବସରରେ ଉଦବୋଧନ ଦେଇ ବିଧାୟକ ଶ୍ରୀ ଖଟୁଆ କହିଥିଲେ ଯେ ବାଲେଶ୍ଵର ଜିଲାରେ ଶିଳ୍ପାୟନ ପାଇଁ ଅନୁକୂଳ ପରିବେଶ ଥିବାବେଳେ ଆଗାମୀ ଦିନରେ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଏହି ଏକ୍ସପୋ ନୂତନ ଉଦ୍ୟୋଗୀ ସୃଷ୍ଟି କରିବାରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଜିଲା ଶିଳ୍ପ କେନ୍ଦ୍ର ମହାପ୍ରବନ୍ଧକ ପ୍ରଣବ କୁମାର ନାୟକ, ‘ନୋସି’ର ସମ୍ପାଦକ ହରିଶ ପଟେଲ, ଜିଲା କ୍ଷୁଦ୍ର ଶିଳ୍ପ ସଂଘ ସଭାପତି ବିବେକ ବାଜପେୟୀ ପ୍ରମୁଖ ସମ୍ମାନିତ ଅତିଥ୍ୟ ଭାବେ ଯୋଗଦେଇ ଶିଳ୍ପାୟନ ଅଭିବୃଦ୍ଧିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀ ଶିଳ୍ପର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ। ବାଲେଶ୍ଵରରେ ବହୁତ ବଡ଼ ଶିଳ୍ପ ଋଗଣ ଅବସ୍ଥାକୁ ଚାଲିଆସିଥିବା ବେଳେ କ୍ଷୁଦ୍ର ଶିଳ୍ପ ବୃଦ୍ଧି ପାଇବାରେ ଲାଗିଛି। ଅନୁକୁଳ ଭିତ୍ତିଭୂମି ଥିବା ବାଲେଶ୍ଵର ଜିଲାରେ ଶିଳ୍ପାୟନକୁ ଆଗେଇ ନେବାରେ ସବୁ ମହଲରୁ ସହଯୋଗ ଆବଶ୍ୟକ ବୋଲି ସେମାନେ ମତ ଦେଇଥିଲେ।
ବାଲେଶ୍ଵର ଚାମ୍ବର ଅଫ୍ ଇଣ୍ଡଷ୍ଟ୍ରିଜ୍ ଏଣ୍ଡ୍ କମର୍ସ(ବିସିଆଇସି)ର ସଭାପତି ତଥା ଶିଳ୍ପପତି ସଞ୍ଜୟ ଦାସ ଅଧ୍ୟକ୍ଷତା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁନୀଲ କୁମାର ମୋଦି ଶେଷରେ ଧନ୍ୟବାଦ ଦେଇଥିଲେ। ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନର ଅଧିକାରୀଙ୍କୁ ଏହି ଅବସରରେ ସମ୍ବଦ୍ଧିତ କରାଯାଇଥିଲା।
ମଙ୍ଗଳବାର ଦିନ ଆରମ୍ଭ ହୋଇଥିବା ଏହି ଏକ୍ସପୋ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବା ସହିତ ଏଥରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ଶିଳ୍ପାନୁଷ୍ଠାନ ଅଂଶଗ୍ରହଣ କରିଛନ୍ତି। ଏହି ଏକ୍ସପୋରେ ୩ଶହରୁ ଅଧିକ ଷ୍ଟଲ ଖୋଲାଯାଇଥିବା ବେଳେ
ଏଥିରେ ରାଜ୍ୟ ବାହାରୁ ଅନେକ ଶିଳ୍ପ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ଗ୍ରାମ୍ୟ କୁଟୀର ଓ ହସ୍ତଶିଳ୍ପ କାରିଗର, ସ୍ବୟଂ ସହାୟିକା ଗୋଷ୍ଠୀମାନେ ସାମିଲ ହୋଇଛନ୍ତି।