ବିରୋଧୀଙ୍କୁ କଡ଼ା ଚେତାବନୀ ଦେଲେ ବାଚସ୍ପତି, ହଟ୍ଟଗୋଳ ହେବ କହିଲା ବିଜେଡି
ଭୁବନେଶ୍ବର(ସଂକେତ ଟିଭି): ଫେବୃଆରୀ ୧୩ରୁ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ ମୋଟ୍ ୨୮ ଦିନର କାର୍ଯ୍ୟଦିବସ ରହିବ। ଏହି ୨୮ ଦିନ ଭିତରେ ୩ ଦିନ ସରକାରୀ ଓ ୩ ଦିନ ବେସରକାରୀ କାର୍ଯ୍ୟଦିବସ ରହିବ। ତେବେ ଏହି ଅଧିବେଶନ ସମୟରେ ବିଧାନସଭାରେ ବିରୋଧୀ ବିଶୃଙ୍ଖଳା ଆଚରଣ କଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୁରୁବାର ବାଚସ୍ପତି ସୁରମା ପାଢ଼ୀ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।
ବାଚସ୍ପତି କହିଛନ୍ତି, ସରକାରୀ ଦଳ ବଜେଟ୍ ଉପସ୍ଥାପନା କରିବେ। ବିରୋଧୀ ଦଳଙ୍କର ଯଦି କୌଣସି ବିଷୟ ଉପସ୍ଥାପନ କରିବାର ଥିବ ତେବେ ଗଠନମୂଳକ ପରାମର୍ଶ ଦେଲେ ଏହା ନିଶ୍ଚିତ ଉପାଦେୟ ହେବ। ବିରୋଧୀମାନେ ବିରୋଧାଭାସ କଲେ, ବିଶୃଙ୍ଖଳା କଲେ ଚଳିତ ଏହି ବିଶୃଙ୍ଖଳାକୁ ଆଉ ବରଦାସ୍ତ କରାଯିବ ନାହିଁ । ବିରୋଧୀ ଦଳ ବିରୋଧୀ ଭୂମିକା ଲିଭାନ୍ତୁ। ଗଠନମୂଳକ ପରାମର୍ଶ ଦିଅନ୍ତୁ। ସମୟ ଅଛି ସର୍ବଦଳୀୟ ବୈଠକ ଡକାଯିବ। ଏ ନେଇ ତାରିଖ ସ୍ଥିର ହୋଇନି ବୋଲି ସୁରମା କହିଛନ୍ତି ।
ବାଚସ୍ପତି କହିଛନ୍ତି ଯେ, ଆସନ୍ତା ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ । ୧୩ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ରହିବ । ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଅଭିଭାଷଣ ସମ୍ପର୍କିତ ଆଲୋଚନା ରହିବ ବୋଲି ସେ କହିଛନ୍ତି ।
ବାଚସ୍ପତି ସୁରମା ପାଢ଼ୀଙ୍କ ଏଭଳି ଉକ୍ତି ହାସ୍ୟାସ୍ପଦ ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି । ସେ କହିଛନ୍ତି ଯେ ବିଧାନସଭା ହେଉଛି ବିରୋଧୀ ଦଳଙ୍କର । ବିରୋଧୀ ଦଳ କୌଣସି ପ୍ରସଙ୍ଗ ଉଠାଇଲେ ସୁରୁଖୁରୁରେ ଚଳାଇବା ବାଚସ୍ପତିଙ୍କ ଦାୟିତ୍ୱ । ହଟ୍ଟଗୋଳ ଅଚଳାବସ୍ଥା ପାଇଁ ବାଚସ୍ପତି ଦାୟୀ ରହିବେ । ବିରୋଧୀ ଦଳକୁ ବାଚସ୍ପତି ଉଚିତ ସମୟ ନ ଦେଲେ ହଟ୍ଟଗୋଳ ହେବ । ସେ ଗୃହର ମାଲିକ ସେ ଯେମିତି ଗୃହକୁ ଚଳାଇବେ । ବିରୋଧୀଦଳର କଣ୍ଠରୋଧ ନକରି ସରକାରୀ ଦଳକୁ ପ୍ରାଧାନ୍ୟ ଦେଲେ ହଟ୍ଟଗୋଳ ହେବ ବୋଲି ପ୍ରତାପ କହିଛନ୍ତି ।
ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଗଣତନ୍ତ୍ରରେ ବିରୋଧୀଙ୍କ ସ୍ବର ଚପାଇବା ପାଇଁ ବାଚସ୍ପତି ଉଦ୍ୟମ କରୁଛନ୍ତି । ନାଲି ଆଖି ଦେଖାଇଲେ ଚଳିବ ନାହିଁ । ବିରୋଧୀ ଦଳ ସ୍ବର ଚପାଇଲେ ଚଳିବ ନାହିଁ । ବିରୋଧୀଙ୍କ ସ୍ବର ବନ୍ଦ ହେବ ନାହିଁ । ଦୋଷ ତ୍ରୁଟିକୁ ଉପସ୍ଥାପନା କରାଯିବ । ମୁଁ ବାଚସ୍ପତି ଥିବା ବେଳେ ସେ କିଭଳି ବ୍ୟବହାର କରିଥିଲେ ଓଡ଼ିଶା ଦେଖିଥିଲା । ଆମେ ସେ ପର୍ଯ୍ୟନ୍ତ ଯାଇନୁ ସେମାନେ ବାଧ୍ୟ କଲେ ଆମେ ସେ ପର୍ଯ୍ୟନ୍ତ ଯିବୁ ବୋଲି ପ୍ରମିଳା କହିଛନ୍ତି ।