ସୁନା ବ୍ୟବସାୟଙ୍କଠାରୁ ସୁନା ଓ ଟଙ୍କା ଲୁଟ ଘଟଣାରେ ୪ ଗିରଫ
ବାରିପଦା (ସଂକେତ ଟିଭି): ବାରିପଦା ସହରର ସୁନା ଅଳଙ୍କାର ବ୍ୟବସାୟଙ୍କ ଠାରୁ ସୁନା ଓ ଟଙ୍କା ଲୁଟ ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ଗ୍ୟାଙ୍ଗର ମାଷ୍ଟ୍ରର ମାଇଣ୍ଡ ବାରିପଦା ଟାଉନ ଥାନା ଅନ୍ତର୍ଗତ ବଡ଼ବଜାର ଅଞ୍ଚଳର ସଞ୍ଜୀବ ସାହୁ(୩୪), ବିବେକ ବେହେରା(୨୯), ଅନୁଭବ କର(୨୦) ଓ ଜୟଦେବ ଦାସ(୩୨)। ଏମାନେ ବାଇକରେ ଆସି ହାଇୱେରୁ ସୁନା ଅଳଙ୍କାର ଲୁଟ କରିଥିଲେ ।
ସୂଚନା ଅନୁସାରେ, ବାରିପଦା ଟାଉନ ଥାନା ଅନ୍ତର୍ଗତ ଲାଲବଜାର ଅଞ୍ଚଳର ସୁନା ଅଳଙ୍କାର ବ୍ୟବସାୟୀ ସ୍ୱରୂପ ଦାସ ଗତ ଜାନୁଆରୀ ୨୧ତାରିଖ ରାତିରେ ବ୍ୟବସାୟିକ କାର୍ଯ୍ୟ ନିମନ୍ତେ କଲିକତା ଯାଉଥିଲେ। ଏକ କାର ଭଡା ସୂତ୍ରରେ ନେଇ କଲିକତା ଯାଉଥିବା ବେଳେ ରାତି ପ୍ରାୟ ୧ ପରେ ମଞ୍ଚାବନ୍ଧା ଠାରେ ଜାତୀୟ ରାଜପଥରେ ଲୁଟ କରିଥିଲେ। ଗ୍ୟାଙ୍ଗରେ ଥିବା ୩ଜଣ ସଦସ୍ୟ ଏକ ବାଇକରେ ଆସି ଗାଡିକୁ ଅଟକାଇ ଥିଲେ। ଜନଶୂନ୍ୟ ସ୍ଥାନର ସୁଯୋଗ ନେଇ ମାରପିଟ କରି ଗାଡ଼ିରେ ଥିବା ୪ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୨ଲକ୍ଷ ଟଙ୍କା ଲୁଟି ଚମ୍ପଟ ମାରିଥିଲେ।
ଏନେଇ ସ୍ୱରୂପ ଦାସ ବାରିପଦା ସଦର ଥାନାରେ ଅଭିଯୋଗ କରିଥିଲେ। ତେବେ ଉକ୍ତ କାରର ଚାଳକ ସଞ୍ଜୀବ ସାହୁ ଓରଫ ଜିତୁ କିଛି ସମୟ ବ୍ୟବଧାନରେ ଫୋନ ଯୋଗେ ଗ୍ୟାଙ୍ଗ ସଦସ୍ୟଙ୍କ ସହ କଥା ହୋଇ ସ୍ଥାନ ବାବଦରେ ସୂଚନା ଦେଉଥିଲେ। ଯାହାକୁ ନେଇ ତାଙ୍କ ଉପରେ ସ୍ୱରୂପ ଦାସଙ୍କ ସନ୍ଦେହ କ୍ରମେ ପୋଲିସ ମୋବାଇଲ ଯାଞ୍ଚ କରି ଅନ୍ୟମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ଲୁଟ ହୋଇଥିବା ସୁନା ଅଳଙ୍କାର ଓ ଟଙ୍କା ଉଦ୍ଧାର କରିଛି। ଏହା ସହିତ ଏକ କାର, ବାଇକ, ମୋବାଇଲ ଆଦି ଜବତ କରାଯାଇଛି।