କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟ୍
ଭୁବନେଶ୍ବର (ସଂକେତ ଟିଭି): ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ । ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ଆଇ.ଆର.ସି ଭିଲେଜ-N 2/29 ବାସଭବନରୁ ଗତକାଲି ରାତି ପ୍ରାୟ ୨ଟା ୪୦ରେ ଲୁଟେରା କଳାକନା ବୁଲାଇଛନ୍ତି । ଚୋରମାନେ ଉପର ମହଲାରେ ରହୁଥିବା ପୁଅ ଓ ବୋହୂଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ନେଇଯାଇଛନ୍ତି । ଚୋରମାନେ ପାଚେରି ଡେଇଁ ଘରେ ପଶିଥିଲେ ଲୁଟ୍ ପରେ ଝରକା ପଟେ ଚମ୍ପଟ ମାରିଥିଲେ । ଚୋରଙ୍କ ଗତିବିଧି ସିସିଟିଭିରେ କଏଦ ହୋଇଛି । ଯୋଜନା ମୁତାବକ ଚୋରି ହୋଇଥିବା ସନ୍ଦେହ କରାଯାଉଛି । କମିଶନରେଟ୍ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।
ନିରଞ୍ଜନ ପଟ୍ଟନାୟକ କହିଛନ୍ତି,” ଦ୍ୱିତୀୟ ମହଲାରେ ମୋର ବଡ଼ ପୁଅ, ବୋହୂ ଓ ମୋର ୨ ପୁଅ ରୁହନ୍ତି । ସେହି ଘରେ ଚୋରି ହୋଇଛି । ଚୋରମାନେ ବିଳମ୍ବିତ ରାତି ପ୍ରାୟ ୨ଟା ୪୦ ସମୟରେ ଘରେ ପଶିଥିଲେ । ଯେଉଁ ଚୋର ଚୋରି କରିଛି ସେ ପ୍ରଫେସନାଲ ଚୋର । ଚୋରଟି ହାତରେ ଗ୍ଲୋବ ପିନ୍ଧିଥିଲା ଓ ମୁହଁରେ କଳାପଟି ବନ୍ଧା ହୋଇଥିଲା । ପିଲାମାନେ ଘରେ ଉପସ୍ଥିତ ନଥିଲେ । ଚୋର ସୁନା ଗହଣା ସହ ଟଙ୍କା ପଇସା ନେଇ ଫେରାର ହୋଇଯାଇଛି । ଧିରେ ଧିରେ ଭୁବନେଶ୍ବରରେ ଅପରାଧିକ କାର୍ଯ୍ଯ ତଥା ଚୋରୀ ବଢିବାରେ ଲାଗିଥିବାବେଳେ ପୋଲିସ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ବୋଲି ସେ କହିଛନ୍ତି ।