CulturalFeaturedLatestNews

ଧୁମଧାମରେ ଚାଲିଛି ମା’ ବଗଲାମୁଖୀଙ୍କ ଜନ୍ମୋତ୍ସବ

ବାଲେଶ୍ଵର(ସଂକେତ ଟିଭି): ବାଲେଶ୍ବର ସହର ଉପକଣ୍ଠ କୁରୁଡ଼ାସ୍ଥିତ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠର ଦ୍ବାଦଶ ବାର୍ଷିକୋତ୍ସବ ଓ ପୀଠର ଅଧିଷ୍ଠାତ୍ରୀ ଦେବୀ ମା’ ବଗଳାମୁଖୀଙ୍କ ଜନ୍ମୋତ୍ସବ ଧୁମଧାମରେ ପାଳନ କରାଯାଉଛି। ଏହି ଉତ୍ସବ ଆଡ଼ମ୍ବର ସହକାରେ ଆୟୋଜିତ ହେଉଥିବା ବେଳେ ପ୍ରଥମ ଦିବସରେ ସକାଳେ ମା’ ବଗଳାମୁଖୀ ବଡ଼ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିରେ ମା’ଙ୍କ ଭବନକୁ ପୁଷ୍ପ ଅଳଙ୍କାରରେ ଅତ୍ଯନ୍ତ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଛି।

ପ୍ରଥମ ଦିନ ସରସ୍ୱତୀପୁର ଶିବ ମନ୍ଦିର ପୁଷ୍ଟରିଣୀରୁ ଘଟ ଉତ୍ତୋଳନ ଓ କଳସ ଶୋଭାଯାତ୍ରା ସହ ବୈଦିକ ରୀତିରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବରିଷ୍ଠ ପଣ୍ଡିତ ଏବଂ ବ୍ରାହ୍ମଣମାନଙ୍କ ଦ୍ୱାରା ସୂର୍ଯ୍ୟପୂଜା, ଗୁରୁପୂଜା, ମଣ୍ଡଳା ଦର୍ଶନ, ଅଗ୍ନିସ୍ଥାପନ, ଶ୍ରୀମନ୍ଦିରରୁ ମା’ଙ୍କ ଯଜ୍ଞ ମଣ୍ଡପକୁ ଆଗମନ, ଅର୍ଚ୍ଚନ, ସହସ୍ରାଦି ବଗଳା ମନ୍ତ୍ରରେ ଯଜ୍ଞାହୁତି ପ୍ରଦାନ କରିଥିଲେ । ମା’ଙ୍କ ସମେତ ପୀଠରେ ପୂଜିତ ଅନ୍ୟ ଦେବାବେଦୀଙ୍କ ଅଭିଷେକ ସହିତ ତିନିଦିନିଆ ଯଜ୍ଞ କର୍ମକାଣ୍ଡର ଶୁଭାରମ୍ଭ ହୋଇଥିଲା ।

ଶନିବାର ଓ ରବିବାର ଦୁଇଦିନ ବ୍ୟାପୀ ମା’ଙ୍କୁ ବିଶେଷ ରୀତିନୀତିରେ ପୂଜାର୍ଚ୍ଚନା ସହ ସୋମବାର ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରାଯିବ। ଉତ୍ସବର ଶେଷ ଦିନ ମା’ ବଗଳାମୁଖୀଙ୍କ ଆବିର୍ଭାବ ଅର୍ଥାତ ଜନ୍ମୋତ୍ସବ ପାଳିତ ହେବ। ଏହି ଅବସରରେ ମା’ଙ୍କ ନିକଟରେ ୧୦୦୮ ପ୍ରକାର ବ୍ୟଞ୍ଜନ ସମ୍ବଳିତ ପ୍ରସାଦ ଅର୍ପଣ ନେଇ ବ୍ୟବସ୍ଥା ହୋଇଛି । ମା’ ପିତାମ୍ବରା ବଗଳାମୁଖୀ ଅଷ୍ଟମ ମହାବିଦ୍ୟା । ଏ ୩ ଦିନ ଭିତରେ ପ୍ରତ୍ୟକ ଦିନ ମା’ଙ୍କ ଉପଚାର ପୂଜା, ମା’ଙ୍କ ଚଣ୍ଡୀପାଠ ହେବ । ମୂଳମନ୍ତ୍ର ଓ ୩୬ ବୀଯମନ୍ତ୍ରରେ ୧୦ ହଜାର ଆହୁତି ହେବେ ବୋଲି ପୀଠ ଉପାଚାର୍ଯ୍ୟ ଆଦିତ୍ୟ ନାରାୟଣ ମିଶ୍ର ସୂଚନା ଦେଇଛନ୍ତି।