FeaturedLatestNews

ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା, ମଧୁସୂଦନ ପାଢ଼ୀ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର(ସଂକେତ ଟିଭି): ରାଜ୍ୟ ସରକାର ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତି ପ୍ରଦାନ କରିଛନ୍ତି। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ସେହିପରି ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଧୁସୂଦନ ପାଢ଼ୀ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତ କରାଯାଇଛି। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି(ଏସଜେଟିଏ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହିତ ନୂଆଦିଲ୍ଲୀସ୍ଥିତ ଓଡିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତ ଭାବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଅତିରିକ୍ତ ଦାୟିତ୍ୱ ତୁଲାଇବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ହେବା ପରେ ପ୍ରକାଶ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଗୁରୁଦାୟିତ୍ୱ ମିଳିଛି, ସୁଚାରୁ ରୂପେ ତୁଲାଇବି। ଜନହିତରେ ଯାହା ହୋଇପାରିବ ମିଳିମିଶି କରିବୁ। ଲୋକଙ୍କ ସମସ୍ୟା କିପରି ଦୂର ହେବ ଧ୍ୟାନ ଦେବୁ ବୋଲି ପ୍ରକାଶ ମିଶ୍ର କହିଛନ୍ତି।