ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁନିଫର୍ମ ସିଭିଲ କୋଡ, ଦେଶରେ ପ୍ରଥମ ରାଜ୍ୟ
ଡେରାଡୁନ (ସଂକେତ୍ ଟିଭି): ବହୁ ପ୍ରତୀକ୍ଷିତ ଏକକ ନାଗରିକ ସଂହିତା ବିଲ୍ (ୟୁସିସି) ଉତ୍ତରାଖଣ୍ଡରେ ଲାଗୁ ହୋଇଛି । ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ ହୋଇଛି । ଦୁଇ ବର୍ଷରୁ ଅଧିକ ସମୟ ଧରି ଏହା ଉପରେ ଧାମି ସରକାର କାମ କରିଥିଲେ । ସମସ୍ତ ପର୍ଯ୍ୟାୟ ଶେଷ ହେବା ପରେ ଆଜି ଏହାକୁ ଲାଗୁ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ୟୁସିସି ପୋର୍ଟାଲର ଲୋକାର୍ପଣ କରିଛନ୍ତି ।
୨୦୨୨ ମେ ୨୭ରେ ଉତ୍ତରାଖଣ୍ଡରେ ଏକକ ନାଗରିକ ସଂହିତା ନେଇ ଏକ ବିଶେଷଜ୍ଞ ସମିତି ଗଠନ ହୋଇଥିଲା । ୨୦୨୪ ଫେବୃଆରୀ ୨ରେ ପାଖାପାଖି ୨ ବର୍ଷ ପରେ ସମିତି ପକ୍ଷରୁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା । ମାର୍ଚ୍ଚ ୮ରେ ବିଧାନସଭାରେ ବିଲ୍ ପାରିତ ହୋଇଥିଲା । ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଥିଲା । ଆଜି ଏହାକୁ କାର୍ଯ୍ୟକାରୀ କରାଯାଇଛି ।
ୟୁସିସି ବା ଏକକ ନାଗରିକ ସଂହିତା ଆଇନ ଲାଗୁ ହେଲେ ବିବାହ, ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଓ ସମ୍ପତ୍ତି କ୍ଷେତ୍ରରେ ସମସ୍ତଙ୍କର ରହିବ ଏକକ ଅଧିକାର । ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ଓ ଅଧିକାର ମଧ୍ୟ ସମାନ ରହିବ । ପ୍ରତି ଧର୍ମ ପାଇଁ ବିବାହ, ଛାଡ଼ପତ୍ର ଆଦି ଲାଗି ବି ଗୋଟିଏ ଆଇନ ରହିବ । ଅର୍ଥାତ ହିନ୍ଦୁଙ୍କ ପାଇଁ ଯେଉଁ ନିୟମ ରହିବ, ଅନ୍ୟ ଧର୍ମଙ୍କ ପାଇଁ ମଧ୍ୟ ସେହି ନିୟମ ରହିବ । ବିନା ଛାଡପତ୍ରରେ ଏକାଧିକ ବିବାହ ପାଇଁ ମିଳିବନି ଅନୁମତି । ଏହାର ଅବମାନନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।