CrimeFeaturedLatestNews

ଶିମିଳିପାଳରେ ଶିକାରୀ ଧରାଇଦେଲା ଏଆଇ କ୍ୟାମେରା, ୨ ଗିରଫ

ଭୁବନେଶ୍ବର(ସଂକେତ ଟିଭି): ଶିମିଳିପାଳରେ AI କ୍ୟାମେରା ସାହାର୍ଯ୍ୟରେ ବନ ବିଭାଗର ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ୫ ଜଣ ଶିକାରୀଙ୍କ ଶିକାର ଉଦ୍ୟମକୁ ବିଫଳ କରିଛନ୍ତି । ଏଆଇ କ୍ୟାମେରା ଚିତ୍ରକୁ ଆଧାର କରି, ଦଳ ଶିକାରୀ ଗୋଷ୍ଠୀକୁ ଅଟକାଇ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗିରଫ ଅଭିଯୁକ୍ତ ହେଲେ କାଳୀ ଚରଣ ଦେହୁରୀ ଓ ରାଜ କିଶୋର ନାଏକ।

ଗିରଫ ଶିକାରୀମାନଙ୍କ ନିକଟରୁ ୫ଟି ଦେଶୀ ବନ୍ଧୁକ, ସମ୍ବର ଓ ହରିଣ ଶିଙ୍ଗ, ଧନୁତୀର ଓ ଫାଶ ଜବତ ହୋଇଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ କପ୍ତିପଦା ଥାନା ଅଞ୍ଚଳର ବୋଲି ଜଣାପଡିଛି । ଏ ନେଇ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ଉପ ନିର୍ଦ୍ଦେଶକ ସମ୍ରାଟ୍ ଗୌଡା ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ଚିନ୍ତା ବଢ଼ାଇଥିଲା ଜଙ୍ଗଲ ନିଆଁ । ଯାହାଫଳରେ ୩୬୦ ଡିଗ୍ରୀ AI କ୍ୟାମେରା ଶିମିଳିପାଳରେ ଲଗାଯାଇଥିଲା । ୬ଟି ଟାୱାରରେ ଲଗାଯାଇଥିଲା ଏହି AI କ୍ୟାମେରା । ଧୂଆଁ ଉଠିବା ମାତ୍ରେ ସମ୍ପୃକ୍ତ ସ୍ଥାନକୁ ଜୁମ୍ କରି ଭିଡ଼ିଓ କରିବା ସହ ଲୋକେସନ୍ ଜଣାଇଦେବ ଏହି AI କ୍ୟାମେରା । ତେବେ ଏହି କ୍ୟାମେରା ଦ୍ବାରା ବନ ବିଭାଗର ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଶିକାରୀ ମାନଙ୍କୁ ଠାବ କରି ଧରିବାରେ ସକ୍ଷମ ହେଉଛନ୍ତି ।