ଓଡିଶାରେ ହେବ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ଭୁବନେଶ୍ବରର ଜନତା ମଇଦାନରେ ଦୁଇ ଦିନ ଧରି ଚାଲିଥିବା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ ସମ୍ମିଳନୀରେ ୧୨ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପୁଞ୍ଜି ନିବେଶ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
କନ୍କ୍ଲେଭ୍ର ପ୍ରଥମ ଦିନରେ ୫ଟି ଓ ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ୧୪୫ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହା ଦ୍ବାରା ରାଜ୍ୟକୁ ୧୨ ଲକ୍ଷ ୮୯ ହଜାର କୋଟି ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି। ଏହା ଦ୍ବାରା ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। କେମିକାଲ୍ସ, ପେଟ୍ରୋ କେମିକାଲ୍ସ, ମାଇନ୍ସ, ବୟନ, ପର୍ଯ୍ୟଟନ, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, କ୍ଷେତ୍ରରେ ପୁଞ୍ଜି ଆସିବ। ୧୬ଟି ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ସାମିଲ ହେବା ଆମ ପାଇଁ ବଡ଼ ସଫଳତା। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ସ୍ବପ୍ନ ସାକାର କରିବୁ। ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଭାଗିଦାରିତା ନିଭାଇବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ କହିଛନ୍ତି, ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପୂର୍ବରୁ ଦୁଇ ଦିନ ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ସରକାର ସାଧାରଣ ଲୋକଙ୍କ ପାଇଁ ଆଉ ଦୁଇଦିନ ବୃଦ୍ଧି କରିଛନ୍ତି। ଜନସାଧାରଣ ଆସନ୍ତାକାଲି (ଗୁରୁବାର) ସହ ଜାନୁଆରି ୩୧ ପର୍ଯ୍ୟନ୍ତ ଜନତା ମଇଦାନରେ ‘ଉତ୍କର୍ଷ ଓଡ଼ିଶା’ ସମ୍ମିଳନୀର ପ୍ରଦର୍ଶନୀ ବୁଲିପାରିବେ।