ପ୍ରୟାଗରାଜ ମହାକୁମ୍ଭମେଳାରେ ଦଳାଚକଟା: ୩୦ରୁ ଉର୍ଦ୍ଧ୍ବ ମୃତ
ପ୍ରୟାଗରାଜ (ସଂକେତ ଟିଭି): ଉତ୍ତର ପ୍ରଦେଶର ପ୍ରୟାଗରାଜର ମହାକୁମ୍ଭ ସ୍ଥଳରେ ଆଜି ଭୋର ପୂର୍ବରୁ ଘଟିଥିବା ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬୦ ଜଣ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶ ପୋଲିସ ଡିଆଇଜି ବୈଭବ କୃଷ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପଚିଶ ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି, ୬୦ ଜଣ ଆହତ ହୋଇଛନ୍ତି। ଅନେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୌନୀ ଅମାବାସ୍ୟା ପାଇଁ ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ତ୍ରିବେଣୀ ସଂଗମରେ ଭୋର ୪ଟାରୁ ଅମୃତ ସ୍ନାନ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁମାନେ ଏକାଠି ହୋଇଥିଲେ। ଏହି ସମୟରେ ବ୍ୟାରିକେଡ୍ ଭାଙ୍ଗିଯିବାରୁ ଦଳାଚକଟା ହୋଇଥିଲା ।
ଦଳାଚକଟା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରାମର୍ଶ ଦେଇ କହିଛନ୍ତି, ‘‘କୌଣସି ପ୍ରକାରର ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ। ଦଳାଚକଟା ସ୍ଥିତି ପରେ ଏବେ ସ୍ଥିତି ସ୍ବାଭାବିକ ରହିଛି। ଦିନ ତମାମ ମୌନି ଅମାବାସ୍ୟା ବୁଡ଼ ପକାଇବାର ଶୁଭ ମୁହୂର୍ତ୍ତ ରହିଛି। ଅଜଥାରେ ଗହଳି ନକଲେ ଭଲ।’’
ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀକ୍ଷ୍ଣ ନଜର ରଖିଛନ୍ତି। ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଗୋଟିଏ ଘଣ୍ଟାରେ ୨ଥର ଫୋନ ଯୋଗେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମହାକୁମ୍ଭମେଳାର ପରିସ୍ଥିତି ବିଷୟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଠାରୁ ସୂଚନା ନେଇଛନ୍ତି ଏବଂ ଆହତମାନଙ୍କ ପାଇଁ ଏପର୍ଯ୍ୟନ୍ତ ହୋଇଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏହା ସହିତ, ପ୍ରଧାନମନ୍ତ୍ରୀ ଭକ୍ତମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ମଧ୍ୟ କହିଛନ୍ତି।