CulturalFeaturedGeneralLatest

ମହାକୁମ୍ଭ ମେଳାରେ ରଦ୍ଦ ହେଲା ଭିଭିଆଇପି ପାସ, ଆସିଲା ନୂଆ ଗାଇଡଲାଇନ

ପ୍ରୟାଗରାଜ୍‌ (ସଂକେତ ଟିଭି): ପ୍ରୟାଗରାଜର ତ୍ରିବେଣୀ ସଂଗମରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହେବା ପରେ ରାଜ୍ୟ ସରକାର ଭିଭିଆଇପି ପାସଗୁଡ଼ିକୁ ବାତିଲ କରିଛନ୍ତି । ଏଣିକି ସମସ୍ତଙ୍କ ପାଇଁ ସମାନ ନିୟମ । କୌଣସି ପ୍ରକାର ବିଶେଷ ପାସ ଆଉ କୁମ୍ଭମେଳାରେ କାମ କରିବ ନାହିଁ । ସେହିପରି ମେଳା ପରିସରକୁ ନୋ-ଭେହିକିଲ ଜୋନ ଘୋଷଣା କରାଯାଇଛି । କୌଣସି ପ୍ରକାର ଗାଡି ମେଳା କ୍ଷେତ୍ର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । ପ୍ରୟାଗରାଜରେ ୱାନ ୱେ ମାର୍ଗ ବ୍ୟବସ୍ଥା ଲାଗୁ କରାଯାଇଛି । ଯାହା ଦ୍ବାରା ଶ୍ରଦ୍ଧାଳୁଙ୍କ ଯାତାୟତ ସମସ୍ୟା ରହିବ ନାହିଁ । ସେହିପରି ପ୍ରୟାଗରାଜର ଆଖପାଖ ଜିଲ୍ଲାକୁ ଆସୁଥିବା ଗାଡି ଗୁଡିକୁ ସେହି ଜିଲ୍ଲାର ସୀମାରେ ହି ଅଟକା ଯିବ । ଅନ୍ୟପଟେ ୪ ଫେବ୍ରୁଆରୀ ପର୍ଯ୍ୟନ୍ତ ସହରରେ ୪ ଚକିଆ ଯାନର ଏଣ୍ଟ୍ରି ସମ୍ପୂର୍ଣ୍ଣ ନିଷେଧ ।

ଏହି ଦୁର୍ଘଟଣା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ, କୌଶାମ୍ବୀ, ବାରାଣସୀ, ଅଯୋଧ୍ୟା, ମିର୍ଜାପୁର, ବସ୍ତି, ଜୌନପୁର, ଚିତ୍ରକୁଟ, ବନ୍ଦା, ଆମ୍ବେଦକରନଗର, ପ୍ରତାପଗଡ଼, ସନ୍ଥ କବୀର ନଗର, ଭାଦୋହୀ, ରାୟବରେଲି ଏବଂ ଗୋରଖପୁର ସମେତ ଅନେକ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଏବଂ ଅଧିକାରୀଙ୍କ ସହିତ ବିଳମ୍ବିତ ରାତିରେ ଭିଡିଓ କନଫରେନ୍ସିଂ କରିଥିଲେ। ସେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସୀମାନ୍ତ ସ୍ଥାନରେ ହୋଲ୍ଡିଂ ଏରିଆ ସ୍ଥାପନ କରିବା ଏବଂ ପ୍ରୟାଗରାଜରୁ ଫେରିବା ରାସ୍ତାଗୁଡ଼ିକୁ ବାଧାମୁକ୍ତ ରଖିବା ସହିତ ଅନେକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।