BusinessFeaturedGeneralLatest

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, କମି ପାରେ ଜିଡିପି

ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ୨୦୨୪-୨୫ ଉପସ୍ଥାପନ କରିଛନ୍ତି । ଅର୍ଥନୈତିକ ସର୍ଭେ ଅନୁସାରେ ଆଗାମୀ ଆର୍ଥିକ ବର୍ଷରେ ଦେଶର ଜିଡିପି ୭ ପ୍ରତିଶତରୁ କମ ରହିପାରେ, ଯାହା ଆର୍ଥିକ ବର୍ଷ ୨୦୨୩-୨୪ ତୁଳନାରେ ପ୍ରାୟ ୨ ପ୍ରତିଶତ କମ । ସେହି ବର୍ଷ ଦେଶରେ ରିୟଲ ଜିଡିପି ୮ ପ୍ରତିଶତ ଉପରେ ରହିଥିଲା । ଉଲ୍ଲେଖଯୋଗ୍ୟ ଯେ ଅର୍ଥନୈତିକ ସର୍ଭେ ଚଳିତ ବର୍ଷର ଆର୍ଥିକ ପ୍ରଦର୍ଶନକୁ ଦର୍ଶାଇବା ସହ ଆଗାମୀ ଆର୍ଥିକ ବର୍ଷ ପାଇଁ ପୂର୍ବାନୁମାନ କରିଥାଏ ।

ଅର୍ଥନୈତିକ ସର୍ଭେ ୨୦୨୪-୨୫ ଅନୁସାରେ ଆର୍ଥିକ ବର୍ଷ ୨୦୨୬ରେ ଦେଶର ଜିଡିପି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ରହିପାରେ । ଅର୍ଥନୈତିକ ସର୍ଭେ ଦର୍ଶାଉଛି ଯେ ଆଗାମୀ ଆର୍ଥିକ ବର୍ଷରେ ବି ଅର୍ଥନୀତି ଧିମେଇଯିବ । ଜିଏସଟି ସଂଗ୍ରହରେ ୧୧ ପ୍ରତିଶତ ବୃଦ୍ଧିର ପୂର୍ବାନୁମାନ ରହିଛି, ଯାହା ୧୦.୬୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିପାରେ । ଏହି ସର୍ଭେ ଢାଞ୍ଚାଗତ ସୁଧାର ଏବଂ ଆର୍ଥିକ ସ୍ଥିରତା ଦିଗରେ ସରକାରଙ୍କ ପ୍ରୟାସକୁ ରେଖାଙ୍କିତ କରୁଛି । ସରକାରଙ୍କ ଅନୁମାନ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (IMF)ର ୬.୫ ପ୍ରତିଶତ ଅନୁମାନ ନିକଟରେ ରହିଛି ।

ଅର୍ଥନୈତିକ ସର୍ଭେରେ ଅଟକଳ କରାଯାଇଛି ଯେ ୨୦୨୪ରେ ଖରିଫ ଶସ୍ୟ ଉତ୍ପାଦନ ୧୬୪୭.୦୫ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି)ରେ ପହଞ୍ଚିବ, ଯାହା ପୂର୍ବ ବର୍ଷ ତୁଳନାରେ ୮୯.୩୭ ଲକ୍ଷ ମେଟ୍ରିକ ଟନ୍ ଅଧିକ। ସମୀକ୍ଷା ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ବାର୍ଷିକ କୃଷି ଆୟ ୫.୨୩ ପ୍ରତିଶତ ବୃଦ୍ଧି ପାଇଛି।

ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ‘କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପ’ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଅଟେ, ଯାହା ଜାତୀୟ ଆୟ ଏବଂ ନିଯୁକ୍ତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ । ବିଗତ ବର୍ଷଗୁଡ଼ିକରେ ( ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ) କୃଷି କ୍ଷେତ୍ରରେ ବାର୍ଷିକ ହାରାହାରି ୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ କୃଷି କ୍ଷେତ୍ରରେ ୩.୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଗ୍ରସ ଭାଲ୍ୟୁ ଆଡେଡ୍ (ଜିଭିଏ) ୨୦୧୫ ଆର୍ଥିକ ବର୍ଷରେ ୨୪.୩୮ ପ୍ରତିଶତ ଥିବାବେଳେ ୨୦୨୩ ଆର୍ଥିକ ବର୍ଷରେ ଏହା ୩୦.୨୩ ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥନୀତିରେ ସାମଗ୍ରିକ ଜିଭିଏର ୨୦ ପ୍ରତିଶତ ଅଂଶ ସହିତ କୃଷିର କ୍ରମାଗତ ଏବଂ ସ୍ଥିର ଅଭିବୃଦ୍ଧି ପାଖାପାଖି ୫ ପ୍ରତିଶତ, ଜିଭିଏରେ ୧ ପ୍ରତିଶତ ଅଭିବୃଦ୍ଧି ଯୋଗଦାନ କରିବ ।

ଅର୍ଥନୈତିକ ସର୍ଭେ ଅନୁସାରେ ୨୦୨୪ ଜୁଲାଇରୁ ନଭେମ୍ୱର ମଧ୍ୟରେ ସରକାରଙ୍କ ପୁଞ୍ଜିଗତ ବ୍ୟୟ (କ୍ୟାପେକ୍ସ) ୮.୨ ପ୍ରତିଶତ ବଢିଛି । ପ୍ରତିରକ୍ଷା, ରେଲୱେ ଏବଂ ରୋଡ୍ ଟ୍ରାନ୍ସପୋର୍ଟର ମୋଟ୍ ପୁଞ୍ଜିଗତ ବ୍ୟୟରେ ୭୫ ପ୍ରତିଶତ ଖର୍ଚ୍ଚ ହୋଇଛି । ସେହିପରି ଉର୍ଜା, ଖାଦ୍ୟ ଏବଂ ଖାଉଟି ଯୋଗାଣ ପରି ସେକ୍ଟର୍ସରେ ବାର୍ଷିକ ଆଧାରରେ ଭଲ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଗତ ୫ ବର୍ଷରେ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରରେ ସରକାରଙ୍କ ପୁଞ୍ଜିଗତ ବ୍ୟାୟରେ ହାରାହାରି ୩୮.୮ ପ୍ରତିଶତ ଦେଖିବାକୁ ମିଳିଛି ।

ଅର୍ଥନୈତିକ ସର୍ଭେ ୨୦୨୫ରେ ଏଫ୍‌ଡିଆଇ ପ୍ରବାହରେ ବୃଦ୍ଧି ଦେଖିବାକୁ ମିଳିଛି । ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ୮ ମାସରେ ଏଫ୍‌ଡିଆଇ ଇନଫ୍ଲୋ ବଢି ୫୫.୬ ବିଲିୟନ ଡଲାର ହୋଇଛି । ଗତ ବର୍ଷ ସମାନ ଅବଧି ତୁଳନାରେ ଏଥିରେ ୧୭.୯ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଗତ ବର୍ଷର ଆଲୋଚ୍ୟ ଅବଧିରେ ଦେଶରେ ଏଫ୍‌ଡିଆଇ ପ୍ରବାହ ୪୭.୨ ବିଲିୟନ ଡଲାର ରହିଥିଲା ।

ଅର୍ଥନୈତିକ ସର୍ଭେ ୨୦୨୫ ଅନୁସାରେ କୃଷିରେ ସୁଧାର, ଖାଦ୍ୟ ମୁଦ୍ରାସ୍ଫୀତି ଅର୍ଥାତ୍ ଖାଦ୍ୟ-ପେୟ ସାମଗ୍ରୀର ମୂଲ୍ୟ ହ୍ରାସ ଏବଂ ସ୍ଥିର ଆର୍ଥିକ ମାହୋଲ ଯୋଗୁ ଗ୍ରାମୀଣ ଅର୍ଥନୀତିରେ ଚାହିଦା ମଜଭୁତ ହେବାର ସମ୍ଭାବନା ରହିଛି । ଏହାଦ୍ୱାରା ଆଗାମୀ ସମୟରେ ବିକାଶର ସମ୍ଭାବନା ବୃଦ୍ଧି ପାଇବ ।