ଗୁଳି ବାଜି ହୋଇଥିବା କ୍ଷତରେ ପଟି ବାନ୍ଧିବା ଭଳି ହୋଇଛି ବଜେଟ୍ : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ (ସଂକେତ ଟିଭି): ଲୋକସଭାରେ ୨୦୨୫-୨୬ ବଜେଟ୍ ଉପସ୍ଥାପିତ ହୋଇଛି । ଏହାକୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ରଖିଛନ୍ତି। ସେ ଏହି ବଜେଟକୁ ‘ଗୁଳି କ୍ଷତର ପଟି’ ଭଳି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଏହି ସରକାର ଚିନ୍ତାଧାରାର ଦୃଷ୍ଟିରୁ ଫମ୍ପା। କଂଗ୍ରେସ ନେତା କହିଛନ୍ତି ଯେ ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଆର୍ଥିକ ସଙ୍କଟର ସମାଧାନ ପାଇଁ ଆମୁଳଚୂଳ ପରିବର୍ତ୍ତନ ଆବଶ୍ୟକ।
ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କେନ୍ଦ୍ରୀୟ ବଜେଟକୁ ସମାଲୋଚନା କରି କହିଛନ୍ତି ଯେ ଏହା ମୋଦୀ ସରକାରଙ୍କ ଦ୍ୱାରା ଜନସାଧାରଣଙ୍କୁ ଭ୍ରମିତ କରିବାର ଏକ ପ୍ରୟାସ। ସରକାର ଲୋକଙ୍କ ପ୍ରମୁଖ ଅର୍ଥନୈତିକ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଗତ ଦଶନ୍ଧିରେ ୫୪.୧୮ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବା ପରେ ମଧ୍ୟବିତ୍ତ ବର୍ଗକୁ ନାମମାତ୍ର ଆଶ୍ୱସ୍ତି ଦେଇଥିବା କରିଛନ୍ତି।।
ଖଡ଼ଗେ କହିଛନ୍ତି, ଅର୍ଥମନ୍ତ୍ରୀ ନିଜେ ଦାବି କରୁଛନ୍ତି ଯେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ଦ୍ୱାରା ବାର୍ଷିକ ୮୦ ହଜାର ଟଙ୍କା ସଞ୍ଚୟ ହେବ, ଯାହା ପ୍ରତି ମାସରେ ମାତ୍ର ୬,୬୬୬ ଟଙ୍କା। ଏହି ସମୟରେ, ସମଗ୍ର ଦେଶ ମୁଦ୍ରାସ୍ଫୀତି ଏବଂ ବେକାରୀ ସହିତ ସଂଘର୍ଷ କରୁଛି। କିନ୍ତୁ ମୋଦୀ ସରକାର ମିଛ ପ୍ରଶଂସା ପାଇବାରେ ବ୍ୟସ୍ତ।
ମଲ୍ଲିକାର୍ଜୁନ ଖଡ଼ଗେ ବଜେଟକୁ ସମାଲୋଚନା କରି କହିଛନ୍ତି ଯେ ଯୁବପିଢ଼ି, ମହିଳା, ଚାଷୀ ଏବଂ ଅବହେଳିତ ସମ୍ପ୍ରଦାୟ ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ। ଖଡ଼ଗେ କହିଛନ୍ତି, ମୋଦିଜୀ ମହିଳା ସଶକ୍ତିକରଣ ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କିଛି ଘଟିଲା ନାହିଁ। ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କୌଣସି ରୋଡମ୍ୟାପ୍ ନାହିଁ। କୃଷି ଉପକରଣ ଉପରେ କୌଣସି GST ରିହାତି ନାହିଁ ଏବଂ ଦଳିତ, ଆଦିବାସୀ, ପଛୁଆ, ଗରିବ ଏବଂ ସଂଖ୍ୟାଲଘୁ ପିଲାମାନଙ୍କ ପାଇଁ କୌଣସି ସ୍ୱାସ୍ଥ୍ୟ, ଶିକ୍ଷା କିମ୍ବା ଛାତ୍ରବୃତ୍ତି ଯୋଜନା ନାହିଁ।