କଣ୍ଟେନରକୁ ପଛପଟୁ ଧକ୍କା ଦେଲା କଣ୍ଟେନର, କ୍ୟାବିନରେ ଚାପି ହୋଇ ରହିଲେ ଡ୍ରାଇଭର୍
ଜଳେଶ୍ବର (ଉମାକାନ୍ତ ନାୟକ): ଘନ କୁହୁଡି ପାଇଁ କଣ୍ଟେନର କୁ ପଛପଟୁ ଧକ୍କା ଦେଲା କଣ୍ଟେନର। ଅଗ୍ନିଶମ ବିଭାଗ ର ପ୍ରାୟ ଦୁଇ ଘଣ୍ଟା ର ପରିଶ୍ରମ ପରେ କ୍ୟାବିନ ରେ ଚାପି ଡ୍ରାଇଭରଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବାଇପାସ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ, ବାଲେଶ୍ୱର ରୁ ଖଡକପୁର ମରାମତି ହେଉଥିବାରୁ ଆମ୍ବଳିଅଠା ବାଇପାସ୍ ନିକଟରେ ଡାଇଭର୍ସନ ରହିଛି। ବାଲେଶ୍ୱର ପଟୁ ଖଡଗପୁର ଅଭିମୁଖେ ଯାଉଥିବା ପାର୍ଶଲ୍ ବୋଝେଇ କଣ୍ଟେନର ଟି ସେଠାରେ ସ୍ଲୋ ହୋଇଥିବା ବେଳେ ଘନ କୁହୁଡି ଯୋଗୁଁ ଆଉ ଏକ କଣ୍ଟେନର ଆସି ତାକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ପାର୍ଶଲ ବୋଝେଇ କଣ୍ଟେନର ଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ କଡକୁ ଖସି ପଡିଥିଲା । ଏହି କଣ୍ଟେନର ଟ୍ରକର କ୍ୟାବିନରେ ଥିବା ଡ୍ରାଇଭର ଚାପି ହୋଇ ରହିଥିଲେ । ଖବର ପାଇ ଜଳେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ଡ୍ରାଇଭର ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ହସ୍ପିଟାଲ କୁ ପଠାଇଥିଲେ । ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।