ଆନ୍ତଃରାଜ୍ୟ ବ୍ରାଉନସୁଗାର ମାଫିଆ ଗିରଫ, ୩୪୫ ଗ୍ରାମର ବ୍ରାଉନସୁଗାର ଜବତ୍
ଜଳେଶ୍ବର (ଉମାକାନ୍ତ ନାୟକ): ଆନ୍ତଃରାଜ୍ୟ ବ୍ରାଉନସୁଗାର ମାଫିଆ ଟାକୁଲୁ ରାଜା ଓରଫ ସମିରୁଦ୍ଦିନକୁ ବାଲେଶ୍ବର ଜିଲ୍ଲା ଜଳେଶ୍ବର ପୋଲିସ ଗିରଫ କରିଛି । ତା ନିକଟରୁ ୩୪୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୪ଲକ୍ଷ ୫୦ ହଜାର ଟଙ୍କା ହେବ । ବାଲେଶ୍ବର ଏସପି ରାଜ ପ୍ରସାଦ ଏନେଇ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ସମିରୁଦ୍ଦିନ ଜଳେଶ୍ୱର ଥାନା ଝାଡ଼େଶ୍ବରପୁର ଅଞ୍ଚଳରେ ଦୀର୍ଘ ଦିନରୁ ରହିଆସୁଥିଲା। ଏଠାରୁ ହିଁ ସେ ଆନ୍ତଃରାଜ୍ୟ ବ୍ରାଉନସୁଗାର କାରବାର ଚଳାଉଥିଲା ।ତେବେ ଗତ ରବିବାର ଅପରାହ୍ନରେ ପୋଲିସ ସମିରୁଦ୍ଦିନକୁ ଧରିବାରେ ସଫଳ ହୋଇଛି। ସମିରୁଦ୍ଦିନ ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ନେଇ ଜଳେଶ୍ୱର ଆସୁଥିବାବେଳେ ପୋଲିସ ଗିରଫ କରିଥିଲା।
ତାନିକଟରୁ ୩୪୫ଗ୍ରାମ ବ୍ରାଉନ ସୁଗାର ସହ ନଗଦ ୩୮୦୦ ଟଙ୍କା, ଗୋଟିଏ ମୋବାଇଲ ଫୋନ୍ ଓ ଏକ ରୟାଲ ଏନଫିଲ୍ଡ୍ ବାଇକ ଜବତ ହୋଇଛି । ଟାକୁଲୁ ରାଜା ବିରୋଧରେ ପୂର୍ବରୁ ଏସଟିଏଫ ରେ ୨ଟି, ଜଳେଶ୍ୱର ଥାନାରେ ୨ଟି,, ଭଦ୍ରକ ଥାନାରେ ଗୋଟିଏ, ସିଂଲା ଥାନାରେ ଗୋଟିଏ, ବିଂଝାରପୁର ଥାନାରେ ଗୋଟିଏ ମାମଲା ରହିଛି।