BusinessFeaturedLatestNews

ରେଲୱେ ବଜେଟ୍‌ରେ ଓଡ଼ିଶା ପାଇଁ ୧୦,୫୯୯ କୋଟିର ବ୍ୟୟବରାଦ: ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ (ସଂକେତ ଟିଭି): ଫେବ୍ରୁଆରୀ ୧ରେ ଘୋଷିତ ବଜେଟ୍‌ରେ ରେଲୱେକୁ ୨.୫୨ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଏଥିରୁ ଓଡ଼ିଶା ପାଇଁ ୧୦ ହଜାର ୫୯୯ କୋଟି ଟଙ୍କା ରହିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ସାମ୍ୱାଦିକ ସମିଳନୀ କରି ଏହି ସୂଚନା ଦେଇଛନ୍ତି ।

ଓଡ଼ିଶାରେ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ଅଧିକ ଟ୍ରେନ୍‌ ଚାଲିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ରାଜ୍ୟରେ ୫୯ ରେଳ ଷ୍ଟେସନର ନବୀକରଣ ହେଉଛି। ଆଗକୁ ଅଧିକ ଟ୍ରେନ ଓଡ଼ିଶାରେ ଗଡିବାର ଯୋଜନା ରହିଛି। ସେହିପରି ରାଜ୍ୟରେ ୧୯୦୦ କିଲୋମିଟରର କବଚ କାର୍ଯ୍ୟ ଜାରି ରହିଛି ବୋଲି ରେଳମନ୍ତ୍ରୀ କହିଛନ୍ତି। କବଚ କାର୍ଯ୍ୟ ଆସନ୍ତା ୬ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସେ କହିଛନ୍ତି ।

ଓଡ଼ିଶାରେ ୫୯ଟି ଅମୃତ ଷ୍ଟେସନ ପାଇଁ ବ୍ୟୟବରାଦ କରାଯାଇଛି ବୋଲି ରେଳମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଏହା ଅନ୍ତର୍ଗତ ଅମୃତ ଷ୍ଟେସନ ପାଇଁ ୨ ହଜାର ୩୭୯ କୋଟି ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।

ଖବର ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ପୂର୍ବ ଥର ତୁଳନାରେ ୧୩ କୋଟି ଟଙ୍କା ଅଧିକ ଆବଣ୍ଟିତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୧୦,୫୮୬ କୋଟି ଟଙ୍କା ମିଳିଥିଲା । ଏହା ପୂର୍ବରୁ ୨୦୨୩-୨୪ ବଜେଟ୍‌ରେ ରାଜ୍ୟକୁ ୧୦,୦୧୨ କୋଟି ଟଙ୍କା ମିଳିଥିଲା । ତେବେ ବଜେଟ୍‌ରେ ୫୦ ନମୋ ଭାରତ ଟ୍ରେନ୍‌କୁ ମଞ୍ଜୁରୀ ମିଳିଥିବାବେଳେ ୧୦୦ ଅମୃତ ଭାରତ ଟ୍ରେନ୍‌ ଓ ୨୦୦ ବନ୍ଦେ ଭାରତକୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।