ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ଶୁଣାଣିରେ ୧୦୦୦ ଦରଖାସ୍ତ ପଞ୍ଜିକୃତ
ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅଭିଯୋଗ ଶୁଣାଣୀ ସମୟରେ ୧୦୦୦ ଦରଖାସ୍ତ ପଞ୍ଜିକୃତ ହୋଇଛି। ୭୦୦ ଅଭିଯୋଗ ଶୁଣି କାର୍ଯ୍ୟକରି କରିବାକୁ ବିଭିନ୍ନ ବିଭାଗକୁ ପଠାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ପ୍ରଦାନ କରିଛନ୍ତି।
ଆଜି ଯାଏଁ ମୋଟ ୮୦୩୧ ଦରଖାସ୍ତ ମିଳିଥିବାବେଳେ ୬ ହଜାର ୫୪୫ ଅଭିଯୋଗର ସମାଧାନ ହୋଇଛି। ଯେତିକି ଅଭିଯୋଗ ଆସିଛି ବିଭିନ୍ନ ବିଭାଗ ସହ ଆଲୋଚନା କରି ସମାଧାନ କରାଯାଉଛି। ପ୍ରାୟ ୮୧ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି।
ଆଜି ବୌଦ୍ଧ ଜିଲ୍ଲାର ଜଣେ ଶିଶୁକୁ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ମାଧ୍ୟମରେ ୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି. ତାଙ୍କର ଘର ନଥିବାରୁ ଆବାସ ଯୋଜନାରେ ମଧ୍ୟ ଘର ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି. ୯୦ ଦିନ ଭିତରେ ଆବେଦନର ସମାଧାନ ପାଇଁ ସରକାର ଚେଷ୍ଟା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭୁବନେଶ୍ୱର ନ ଆସି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅପିଲ କରିଛନ୍ତି। ଭୁବନେଶ୍ୱର ଆସି ଅଯଥା ଖର୍ଚ୍ଚ ନକରି ଜିଲ୍ଲାସ୍ତରରେ ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷେ ଖରାରେ ଏକ କୁନି ଝିଅର ସ୍କିନ ପୋଡ଼ିଯାଉଥିବା ବେଳେ ଏଭଳି ଏକ ବିରଳ ରୋଗରେ ପୀଡିତ କୁନି ଝିଅଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ଦେଖୁ ଦେଖୁ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୫ ଲକ୍ଷ ସହାୟତା ଦେଇଛନ୍ତି ।