ଏସସିବି ରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର
ଭୁବନେଶ୍ବର(ସଂକେତ ଟିଭି): କଟକ ଏସ୍ସିବିରେ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର ପ୍ରତିଷ୍ଠା ହେବ । ସେଠାରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ମିଳିବ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ପ୍ରଦାନ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ‘ଏକ୍ସ’ରେ ଲେଖାଯାଇଛି ଯେ, ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରତିବଦ୍ଧ ଲୋକଙ୍କ ସରକାର । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର ପ୍ରତିଷ୍ଠା ହେବ । ଏହାଦ୍ବାରା ବିଭିନ୍ନ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ମିଳିବ ।
କଟକ SCBରେ ଏହି ଟ୍ରମା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ୨୦୨୪ ଜୁଲାଇ ୨ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେ.ପି. ନଡ୍ଡାଙ୍କ ନିକଟକୁ ପତ୍ର ଲେଖି ଅନୁରୋଧ କରିଥିଲେ । କେନ୍ଦ୍ର ସରକାର ଏହାକୁ ନୀତିଗତ ଅନୁମୋଦନ ଦେବା ପରେ ଏବେ ଏହା ରାଜ୍ୟ ସରକାରଙ୍କ ଅନୁମୋଦନ ମଧ୍ୟ ହାସଲ କରିଛି । ଏହାପରେ ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ । ଏହି ଟ୍ରମା ସେଣ୍ଟରଟି କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା’ରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ବିନିଯୋଗ କରିବା ବେଳେ ରାଜ୍ୟ ସରକାର ୪୦ପ୍ରତିଶତ ଅର୍ଥ ବିନିଯୋଗ କରିବେ ।