ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି, ମିଳିବ ଘରଭଡା
ଭୁବନେଶ୍ବର(ସଂକେତ ଟିଭି): ଅଗ୍ନିଶମ କର୍ମଚାରୀଙ୍କୁ ଘରଭଡ଼ା ଦେବା ସହ ସେମାନଙ୍କ ଭତ୍ତା ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତାଙ୍କ ମେଡିକାଲ ଖର୍ଚ୍ଚ ବି ସରକାର ବହନ କରିବେ।
ଓଡ଼ିଶା ସରକାରଙ୍କ ପକ୍ଷରୁ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଭତ୍ତା ଯୋଗାଇଦିଆଯିବ । ଡାଏଟ ଭତ୍ତା ୯୦୦ ଟଙ୍କାରୁ ୧୪୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମୋଟରସାଇକେଲ ଭତ୍ତା ୩୦୦ରୁ ୧୦୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ମୋବିଲିଟି ଭତ୍ତା ୧୫୦ରୁ ୩୦୦କୁ ବଢାଇ ଦିଆଯାଇଛି । କର୍ମଚାରୀଙ୍କୁ ମିଳୁଥିବା ରିସ୍କ ଭତ୍ତା ୪୦୦ରୁ ବୃଦ୍ଧି କରାଯାଇ ୧୦୦୦ ଟଙ୍କା ପ୍ରଦାନ କରାଯିବ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ‘ଏକ୍ସ’ରେ ଲେଖାଯାଇଛି ଯେ, ଅଗ୍ନିଶମ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଦିଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଳିଷ୍ଠ ପଦକ୍ଷେପ । ବିଭିନ୍ନ ପରିସ୍ଥିତିରେ ଲୋକଙ୍କୁ ତ୍ୱରିତ ସେବା ଯୋଗାଉଥିବା ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ପ୍ରଦାନ ସହ ସେମାନଙ୍କ ଭତ୍ତା ବୃଦ୍ଧି କରାଯାଇଛି । ଏହାଦ୍ଵାରା ୬୦୫୮ ଅଗ୍ନିଶମ କର୍ମଚାରୀ ଉପକୃତ ହେବେ ।