ଫେବ୍ରୁଆରି ୧୩ରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ
ଭୁବନେଶ୍ବର (ସଂକେତ ଟିଭି): ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଫେବ୍ରୁଆରି ୧୩ରୁ ଆରମ୍ଭ ହେବ। ଏନେଇ ଫେବ୍ରୁଆରି ୧୨ ତାରିଖ ପୂର୍ବାହ୍ନ ୧୧ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିଧାନସଭାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବଜେଟ୍ ଅଧିବେଶନକୁ ସୂଚାରୁ ରୂପେ ଚଳାଇବା ପାଇଁ ଏହି ବୈଠକରେ ଆଲୋଚନା କରାଯିବ। ଫେବ୍ରୁଆରି ୧୭ରେ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରାଯିବ।
ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ବଜେଟ୍ ଅଧିବେଶନ ହେବ। ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟ ଦିବସ ରହିବ। ଫେବୃଆରି ୧୩ରୁ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହା ପରେ ମାର୍ଚ୍ଚ ୭ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ କାର୍ଯ୍ୟ ଚାଲିବ।