EducationFeaturedLatestNews

ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

କଟକ (ସଂକେତ ଟିଭି): ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆସନ୍ତା ୧୨ ତାରିଖରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ଯିବ । ଏଥିପାଇଁ ୩୧୪ ନୋଡାଲ ସେଣ୍ଟର ଖୋଲାଯାଇଛି । ୨୧ଟି ପୋଲିସ ଷ୍ଟେସନରେ ନୋଡାଲ ସେଣ୍ଟର କରାଯାଇଛି । ୧୨ ତାରିଖରୁ ପ୍ରଶ୍ନ ପତ୍ର ପଠାଯିବ ଓ ୧୯ ତାରିଖ ମଧ୍ୟରେ ଏହା ଶେଷ ହେବ । ମୋଟ ୩୧୩୩ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଚଳିତ ବର୍ଷ ୫ ଲକ୍ଷ ୧୦ ହଜାର ୭୭୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ଏଥି ସହିତ ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ଡାଏନମିକ୍ କ୍ବି ଆର କୋର୍ଡ ଓ ୱାଟର ମାର୍କ ବ୍ୟବସ୍ଥା କରାଯାଇଛି। ପ୍ରତି ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବ ଭାଇରାଲ୍ ହେଲେ ଜଣାପଡ଼ିବ। କେଉଁଠୁ ଓ କେଉଁ ସେଣ୍ଟରରୁ ଭାଇରାଲ୍ ହେଲା ସ୍ପଷ୍ଟ ଜଣାପଡ଼ିବ। ଏଥି ସହିତ ପ୍ରଶ୍ନପତ୍ର ଥିବା ୩୧୪ଟି ନୋଡାଲ ସେଣ୍ଟରରେ ସିସିଟିଭି ଲାଗିଛି। ସେହିପରି ଉଭୟ ଅନଲାଇନ ଏବଂ ଅଫଲାଇନରେ ଆଡମିଟ କାର୍ଡ ମିଳିବ । www.bseodisha.ac.inରେ ଆଡମିଟ କାର୍ଡ ମିଳିବ ।

ସୂଚନାଯୋଗ୍ୟ ଫେବ୍ରୁଆରୀ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ। ଫେବ୍ରୁଆରୀ ୨୧ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ। ୨୪ ତାରିଖରେ ଦ୍ବିତୀୟ ଭାଷା ଇଂରାଜୀ ପରୀକ୍ଷା, ୨୭ ତାରିଖରେ ଗଣିତ, ମାର୍ଚ୍ଚା ୧ ରେ ବିଜ୍ଞାନ, ୩ ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ୬ ତାରିଖରେ ତୃତୀୟ ଭାଷା (ହୀନ୍ଦୀ, ସଂସ୍କୃତ) ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ ୯ରୁ ଆରମ୍ଭ ହୋଇ ଦିନ ୧୧ ଟା ୩୦ ମିନିଟରେ ଶେଷ ହେବ। ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆତିରିକ୍ତ ୧୫ ମିନିଟ ସମୟ ପ୍ରଦାନ କରାଯାଇଛି। ଅର୍ଥାତ ଗଣିତ ପରୀକ୍ଷା ଦିନ ସକାଳ ୯ରୁ ଆରମ୍ଭ ହୋଇ ଦିନ ୧୧ ଟା ୪୫ ମିନିଟରେ ଶେଷ ହେବ।