FeaturedGeneralLatestPolitics

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକତରଫା ବିଜୟ ହାସଲ କଲା ବିଜେପି

ନୂଆଦିଲ୍ଲୀ(ସଂକେତ ଟିଭି): ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବହୁଳ ବିଜୟ ହୋଇଛି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ୪୮ ଓ ଆପ୍‌ ୨୨ଟି ଆସନରେ ବିଜୟୀ ହୋଇଥିବା ଜଣାପଡିଛି। ଦିଲ୍ଲୀ ନିର୍ବାଚନ ପାଇଁ ମ୍ୟାଜିକ୍‌ ନମ୍ବର ୩୬ ଥିବାରୁ ଏହି ସୀମାକୁ ବିଜେପି ଅତିକ୍ରମ କରିଛି। ଏଥି ସହିତ ବିଜେପି ୨୭ ବର୍ଷ ପରେ କ୍ଷମତାକୁ ଫେରିଛି। କଂଗ୍ରେସ ଏହି ନିର୍ବାଚନରେ ଖାତା ଖୋଲିନାହିଁ।

ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନରେ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମାଙ୍କଠାରୁ ପରାଜିତ ହୋଇଛନ୍ତି। ସେହିପରି ଜଙ୍ଗପୁରା ଆସନରୁ ମନୀଷ ସିସୋଡିଆ ବିଜେପିର ତରବିନ୍ଦର ସିଂହଙ୍କଠାରୁ ପରାସ୍ତ ହୋଇଛନ୍ତି। କାଲକାଜୀ ଆସନରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଜିତିଛନ୍ତି।

୨୦୧୫ ଏବଂ ୨୦୨୦ରେ ହୋଇଥିବା ନିର୍ବାଚନରେ ଆପ୍ ଜବରଦସ୍ତ ବିଜୟ ହାସଲ କରିଥିଲା। କିନ୍ତୁ ଏଥର ବିଜେପି ଆକ୍ରମଣାତ୍ମକ ପ୍ରଚାର ସହ ପଡ଼ିଆକୁ ଓହ୍ଲାଇଥିଲା। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗତ ୫ତାରିଖ ଦିନ ମତଦାନ ହୋଇଥିଲା। ମତଦାନ ପ‌ରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ ଆସିଥିଲା। ଅଧିକାଂଶ ସ୍ଥା ଏଥର ଦିଲ୍ଲୀରେ ବିଜେପି ସରକାର ସପକ୍ଷରେ ରିପୋର୍ଟ ଦେଇଥିଲେ।

ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, “ଜନଶକ୍ତି ସର୍ବୋପରି! ବିକାଶ ଜିତିଲା, ସୁଶାସନ ଜିତିଲା। ଆମକୁ ଏକ ଐତିହାସିକ ବିଜୟ ଦେବା ପାଇଁ ଦିଲ୍ଲୀର ସମସ୍ତ ଭାଇଭଉଣୀମାନଙ୍କୁ ମୋର ପ୍ରଣାମ ଏବଂ ଅଭିନନ୍ଦନ! ଆପଣମାନେ ଦେଇଥିବା ପ୍ରଚୁର ଆଶୀର୍ବାଦ ଏବଂ ପ୍ରେମ ପାଇଁ ମୁଁ ଆପଣମାନଙ୍କ ସମସ୍ତଙ୍କ ପ୍ରତି ବହୁତ କୃତଜ୍ଞ। ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ପାଇଁ ଏବଂ ଏଠାକାର ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଆମେ କୌଣସି କସରତ ଛାଡ଼ିବୁ ନାହିଁ, ଏହା ଆମର ଗ୍ୟାରେଣ୍ଟି। ଏହା ସହିତ, ଆମେ ଏହା ମଧ୍ୟ ସୁନିଶ୍ଚିତ କରିବୁ ଯେ ଦିଲ୍ଲୀ ଏକ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ମୁଁ ମୋର ସମସ୍ତ ଭାଜପା କର୍ମୀଙ୍କ ପାଇଁ ବହୁତ ଗର୍ବିତ, ଯେଉଁମାନେ ଏହି ବିପୁଳ ଜନାଦେଶ ପାଇଁ ଦିନରାତି ପରିଶ୍ରମ କରିଥିଲେ। ଏବେ ଆମେ ଆମର ଦିଲ୍ଲୀବାସୀଙ୍କ ସେବା ପାଇଁ ଆହୁରି ଦୃଢ଼ ଭାବରେ ସମର୍ପିତ ରହିବୁ।”

ବିଜେପିର ବିଜୟ ନେଇ ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ନିଜ ଦଳର ପରାଜୟ ସ୍ବୀକାର କରିବା ସହିତ ବିଜେପିକୁ ଅଭିନନ୍ଦନ ଜଣାଇଛନ୍ତି। କେଜ୍ରିୱାଲ କହିଛନ୍ତି, ଆମେ ଲୋକଙ୍କ ଜନାଦେଶକୁ ଅତ୍ୟନ୍ତ ବିନମ୍ରତାର ସହିତ ଗ୍ରହଣ କରୁଛୁ। ମୁଁ ବିଜେପିକୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଉଛି ଏବଂ ମୁଁ ଆଶା କରୁଛି ଯେ, ସେମାନେ ସମସ୍ତ ପ୍ରତିଶ୍ରୁତି ପୂରଣ କରିବେ ଯାହା ପାଇଁ ଲୋକମାନେ ସେମାନଙ୍କୁ ଭୋଟ ଦେଇଛନ୍ତି। ଆମେ ଗତ ୧୦ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି କ୍ଷେତ୍ରରେ ବହୁତ କାମ କରିଛୁ। ଆମେ କେବଳ ଏକ ଗଠନମୂଳକ ବିରୋଧୀ ଭୂମିକା ଗ୍ରହଣ କରିବୁ ନାହିଁ ବରଂ ଲୋକଙ୍କ ମଧ୍ୟରେ ରହି ସେମାନଙ୍କର ସେବା କରିବୁ।