FeaturedLatestNews

୧୧ ଟି ପ୍ରସ୍ତାବ ଉପରେ ବାଜିଲା ରାଜ୍ୟ କ୍ୟାବିନେଟ ମୋହର

ଭୁବନେଶ୍ବର(ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ମୋହର ବାଜିଛି । ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ଅନ୍ତୋଦୟ ଗୃହ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ରାଜ୍ୟ ସରକାର ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ଦେବେ। ହିତାଧିକାରୀଙ୍କୁ ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିବ। ପ୍ରାକୃତିକ ଏବଂ ମନୁଷ୍ୟକୃତ କ୍ଷତି ଏବଂ ବିସ୍ଥାପିତ ଲୋକଙ୍କୁ ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ବି ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ପରି ଏହି ଯୋଜନାରେ ବୋନସ ବ୍ୟବସ୍ଥା ଅଛି। ୪ ମାସ ଭିତରେ ଘର କାମ ସାରିଲେ ୨୦ ହଜାର ଓ ୬ ମାସରେ ସାରିଲେ ୧୦ ହଜାର ବୋନସ ପ୍ରଦାନ କରାଯିବ। ଏହି ଯୋଜନାରେ ସରକାର ୭୫୫୦ କୋଟି ଖର୍ଚ୍ଚ କରିବେ।

ସେହିପରି କ୍ରୀଡା ଭିତ୍ତିଭୂମି ପାଇଁ ୩୧୪ ବ୍ଲକରେ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ। ଏଥି ପାଇଁ ସରକାର ନୂଆ ଯୋଜନା କରିଛନ୍ତି । ୧୨ ରୁ ୧୫ ଏକର ଜମିରେ ଷ୍ଟାଡିୟମ ନିର୍ମାଣ ହେବ। ଫୁଟବଲ, କ୍ରିକେଟ, ଆଥଲେଟ, ଅନ୍ୟାନ୍ୟ ଖେଳ ପାଇଁ ସୁବିଧା ରହିବ। ଆସନ୍ତା ୫ ବର୍ଷରେ ୪୧୨୪ କୋଟି ବ୍ୟୟରେ ଷ୍ଟାଡିୟମ ନିର୍ମାଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ରାଜ୍ୟରେ ଏକିକୃତ ପେନସନ ଯୋଜନାକୁ ଲାଗୁ ନେଇ କ୍ୟାବିନେଟ ନିଷ୍ପତି ହୋଇଛି। NPS ରେ ଥିବା ଅଧିକାରୀ ମାନେ ଏହି ବ୍ୟବସ୍ଥାରେ ପେନସନ ପାଇବେ। ୩ ଲକ୍ଷ ୩୩ ହଜାର ଅଧିକାରୀ ମାନେ ସେମାନେ ସ୍ଥିର କରିବେ NPS କି UPS ରେ ରହିବେ। ରାଜ୍ୟରେ ଡ୍ୟାମ ଗୁଡିକର ପୁନଃବ୍ୟାସ ଏବଂ ଉନ୍ନତିକରଣ ପାଇଁ ୧୦୬୬ କୋଟି ଖର୍ଚ୍ଚ ହେବ। ହୀରାକୁଦ ଡ୍ୟାମ ମରାମତି ଏବଂ ଉନ୍ନତିକରଣ ପାଇଁ ୩ ଟି ପ୍ରକଳ୍ପ କାର୍ଯ୍ୟ ହେବ। ଆସନ୍ତା ୬ ବର୍ଷରେ ଏହି କାମକୁ ସମ୍ପୂର୍ଣ୍ଣ କରାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ଆଇନ ବିଭାଗରେ ନିଯୁକ୍ତି ପାଇଁ ୨୦୦୮ର ନିୟମ ସଂଶୋଧନ ହୋଇଥିବା ଜଣାପଡ଼ିଛି। ସେହିପରି ଅକ୍ଷୟ ଶକ୍ତି ୨୦୨୨ ନୀତିକୁ ସରଳିକରଣ ପାଇଁ ସଂଶୋଧିତ ହୋଇଛି।

୪ଟି ବଡ଼ ନଦୀରେ ବ୍ରିଜ ନିର୍ମାଣ ହେବ। ଭଦ୍ରକ ଚାନ୍ଦବାଲି ବୈତରଣୀ ନଦୀରେ ସେତୁ, ଆଳି ଓ ଚାନ୍ଦବାଲି ରାସ୍ତାରେ ସେତୁ, କଟକ ଚାନ୍ଦବାଲି ରାସ୍ତାର ଭାରିଗଦା ଠାରେ ସେତୁ ନିର୍ମାଣ ହେବ। ସେହିପରି ଝାରସୁଗୁଡା ଓ ବରଗଡ ମହାନଦୀ ଉପରେ ସେତୁ ନିର୍ମାଣ ହେବ। ୪ ବର୍ଷରେ କାମ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଡ୍ୟାମ ଗୁଡିକର ପୁନଃବ୍ୟାସ ଏବଂ ଉନ୍ନତିକରଣ ପାଇଁ ୧୦୬୬ କୋଟି ଖର୍ଚ୍ଚ କରିବେ । ହୀରାକୁଦ ଡ୍ୟାମ ମରାମତି ଏବଂ ଉନ୍ନତିକରଣ ପାଇଁ ୩ଟି ପ୍ରକଳ୍ପ କାର୍ଯ୍ୟ ହେବ । ଆସନ୍ତା ୬ ବର୍ଷରେ ଏହି କାମକୁ ସଂପୂର୍ଣ୍ଣ କରାଯିବ ।