ବିଧାନସଭା ଘେରିବେ ପ୍ରାଥମିକ ଶିକ୍ଷକ
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଫେବ୍ରୁଆରୀ ୧୬ ରେ ବିଧାନସଭା ଘେରାଓ କରିବେ । ୩ ଦଫା ଦାବି ନେଇ ସେମାନେ ଏହି ଘେରାଓ କରିବେ ।
୨୦୧୦ ମସିହାରେ ଶିକ୍ଷା ଅଧିକାର ଅଧିନିୟମ ରାଜ୍ୟରେ ଲାଗୁ ହୋଇଥିଲେ ମଧ୍ୟ ସରକାର ତାହାକୁ ଆଦୌ କାର୍ଯ୍ଯକାରୀ କରୁନାହାନ୍ତି । ଆଦର୍ଶ ବିଦ୍ୟାଳୟ ନାମରେ ପ୍ରତି ପଞ୍ଚାୟତରେ ଗୋଦାବରୀଶ ବିଦ୍ୟାଳୟ ଖୋଲି ଅନ୍ୟ ବିଦ୍ୟାଳୟ ବନ୍ଦ କରିବାକୁ ବସିଛନ୍ତି ବୋଲି ସଂଘ ଅଭିଯୋଗ ଆଣିଛି । ଶିକ୍ଷା ଅଧିକାର ଆଇନରେ ପ୍ରାଥମିକ ବିଦ୍ୟାଳୟ ପାଇଁ ଉଲ୍ଲେଖ ଥିବା ଭିଭି ଭୂମିର ବିକାଶ କରୁନାହାନ୍ତି ।
ଅନ୍ୟପଟେ ନିୟମିତ ଶିକ୍ଷକ ନିଯୁକ୍ତ ନକରି ଚୁକ୍ତି ବା ସ୍କିମ ମାଧ୍ୟମରେ ଶିକ୍ଷକ ନିଯୁକ୍ତି କରୁଛନ୍ତି । ପୂର୍ବରୁ ଶିକ୍ଷକଙ୍କ ବିଭିନ୍ନ ପ୍ରସଙ୍ଗ ଓ ଆନ୍ଦୋଳନକୁ ନେଇ ବିଧାନସଭା ଅଚଳ କରିଥିଲେ ତତ୍କାଳୀନ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କିନ୍ତୁ ସରକାର ଆସିବାର ୮ ମାସ ପରେ ବି ଦାବି କୁ ନେଇ କୌଣସି ସମାଧାନ ହୋଇନାହିଁ ।
ଏସବୁ ସମସ୍ୟାକୁ ନେଇ ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ ନିଯୁକ୍ତି ଉଚ୍ଛେଦ କରିବା ଓ ନିଯୁକ୍ତ ପାଇଥିବା ଷ୍ଟିମାଟିକ ଶିକ୍ଷକମାନଙ୍କୁ ତୁରନ୍ତ ନିୟମିତ ଶିକ୍ଷକ କରିବା, ୮ ଓ ୬ ବର୍ଷର ଶିକ୍ଷା ସହାୟକ କନିଷ୍ଠ ଶିକ୍ଷକମାନଙ୍କ କାର୍ଯ୍ଯକାଳକୁ ନେସନାଲ ଇନକ୍ରିମେଣ୍ଟ ଦେଇ ଗଣନା କରିବା, ଅନ୍ୟ ରାଜ୍ୟ ଭଳି ପ୍ରାଥମିକ ଶିକ୍ଷକମାନଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ୩୫,୪୦୦ ଦରମା ଦେବ ଓ ଶିକ୍ଷକ ମାନଙ୍କୁ ପୁରୁଣା ପେନସନ ପ୍ରଦାନ କରିବା ଦାବିରେ ସବୁବର୍ଗର ପ୍ରାଥମିକ ଶିକ୍ଷକ ମାନେ ଆସନ୍ତା ବିଧାନସଭା ସମୟରେ ତା ୧୬.୦୨.୨୦୨୫ ରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିବ ବୋଲି ସଂଘ ଚେତାବନୀ ଦେଇଛି ।