ଖେଳ ମଝିରେ ଅନ୍ଧକାର ହୋଇଗଲା ବାରବାଟୀ ଷ୍ଟାଡିୟମ
କଟକ (ସଂକେତ ଟିଭି): ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ ସମୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଭାରତ ବ୍ୟାଟିଂ କରୁଥିବା ସମୟରେ ହଠାତ ଷ୍ଟାଡିୟମର ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା । ଯେଉଁଥିପାଇଁ ଖେଳକୁ ସ୍ଥଗିତ ରଖିବାକୁ ପଡିଥିଲା ।
ସୂଚନା ଅନୁସାରେ, ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚର ପ୍ରଥମ ଇନିଂସରେ ଇଂଲଣ୍ଡ ୩୦୪ ରନ କରି ଭାରତକୁ ୩୦୫ ରନ ବିଜୟ ଲକ୍ଷ୍ୟ ଦେଇଥିଲେ । ଦ୍ୱିତୀୟ ଇନିଂସରେ ଭାରତର ଓପନର ଭାବେ କ୍ୟାପଟେନ ରୋହିତ ଶର୍ମା ଓ ଶୁଭମନ ଗିଲ ଖେଳ ଆରମ୍ଭ କରିଥିଲେ । ତେବେ ୬ ଓଭର ଆରମ୍ଭ ହେଉଥିବା ବେଳେ ହଠାତ ଷ୍ଟାଡିୟମର ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା । ଯେଉଁଥିପାଇଁ ଖେଳକୁ ସ୍ଥଗିତ ରଖିବାକୁ ପଡିଥିଲା । ଏହାକୁ ନେଇ ପଡିଆରେ କ୍ୟାପଟେନ ରୋହିତ ଶର୍ମା ବିରକ୍ତ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା ।
ଫ୍ଲଡ ଲାଇଟରେ ସମସ୍ୟା ଦେଖାଯିବା ପରେ ରୋହିତ ଶର୍ମା କିଛି ସମୟ ପାଇଁ ପଡିଆରେ ଅମ୍ପାୟାରଙ୍କ ସହ କିଛି ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ପଡିଆରେ ସେମାନଙ୍କ କଥାବାର୍ତ୍ତା ବା ଅଙ୍ଗଭଙ୍ଗୀରୁ ରୋହିତ ଶର୍ମା ଖେଳକୁ ଚାଲୁ ରଖିବା ପାଇଁ ଚାହୁଁଥିବା ଅନୁମାନ କରାଯାଉଥିବା ବେଳେ ଇଂଲଣ୍ଡ ଖେଳାଳି କିନ୍ତୁ ଏଥିରେ ରାଜି ହୋଇନଥିଲେ । କିଛି ସମୟର ଆଲୋଚନା ପରେ ଉଭୟ ଟିମର ଖେଳାଳି ପଡିଆରୁ ଫେରି ଯାଇଥିଲେ । ପାଖାପାଖି ୩୦ ମିନିଟ ଖେଳ ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଥିଲା ।