FeaturedLatestNewsPoliticsSports

ବାରବାଟୀ ଫ୍ଲଡ଼ ଲାଇଟ ବିଭ୍ରାଟ : ରାଜ୍ୟ ସରକାରକୁ ଟାର୍ଗେଟ କଲେ ବିଜେଡି ଓ କଂଗ୍ରେସ

ଭୁବନେଶ୍ବର(ସଂକେତ ଟିଭି): ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ଚାଲୁଥିବା ବେଳେ ଫ୍ଲଡ୍ ଲାଇଟ୍ ବନ୍ଦ ହେବା ପ୍ରସଙ୍ଗରେ ରାଜ୍ୟ ସରକାରକୁ ଉଭୟ ବିଜେଡି ଓ କଂଗ୍ରେସ ଟାର୍ଗେଟ କରିଛନ୍ତି । ଏହି ଘଟଣା ପାଇଁ ଓଡ଼ିଶା ସାରା ବିଶ୍ବରେ ଓଡିଶା ବଦ୍‌ନାମ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ।

ବିଜେଡିର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଯଦି ନୈତିକତା ଅଛି ତେ‌ବେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ଉପରେ ପଦକ୍ଷେପ ନେଇ ଇସ୍ତଫା ଦିଅନ୍ତୁ। ସେ ଓସିଏକୁ କଣ ଜବାବ ମାଗୁଛନ୍ତି। ବିସିସିଆଇ ଏବଂ ଓସିଏ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ଆଶ୍ଚର୍ଯ୍ୟ କଥା, ଚାରି ଚାରି ଥର କ୍ରୀଡା ମନ୍ତ୍ରୀ ସମୀକ୍ଷା କଲେ ଓ ଲଜ୍ଜାଜନକ ଭାବେ କହିଲେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ବାରବାଟି ମ୍ୟାଚ୍‌ର ଦାୟିତ୍ୱ ନେଇଛନ୍ତି। ହେଲେ ଏହାର ସତ୍ୟତା ନେଇ ଆମେ ତଥ୍ୟ ଦେବୁ ଯେ କିଛି ନୂଆ କରି ନାହାନ୍ତି। ଡିଜି ସେଟ୍ ପ୍ରଥମରୁ ଶେଷ ଯାଏଁ ଅନ ରହିବା ଦରକାର ଥିଲା।

ବିଶ୍ଵ ଦରବାରରେ ଓଡ଼ିଶା ନିନ୍ଦିତ ହୋଇଛି। ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ। ଦାୟିତ୍ଵ ତୁଲାଇ ପାରୁନାହାନ୍ତି. ଦୋଷୀଙ୍କୁ ଦଣ୍ଡ ଦିଅନ୍ତୁ. ବୋଲି ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି।

ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ବାରବାଟୀ ଲାଇନ୍ କଟିବା ଓଡିଆ ଅସ୍ମିତାକୁ ଅଭିଶାପ । ପୁରା ବିଶ୍ୱରେ ଓଡିଆ ଲଜ୍ଜିତ ହେଲା । ବିଶ୍ଵ ଦେଖିଲା ଖେଳ ଚାଲୁଥିବା ବେଳେ ବାରବାଟୀ ଅନ୍ଧାର । ଆଉ ବାରବାଟୀକୁ ଖେଳ ଆସିବ କି ନାହିଁ ସନ୍ଦେହ । ଏପରି କାହିଁକି ହେଲା ଏହାର ତଦନ୍ତ ହେବା ଆବଶ୍ୟକ।

ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଏହି ଘଟଣାକୁ ନେଇ କହିଛନ୍ତି ବାରବାଟୀ ଅବ୍ୟବସ୍ଥା ପରେ ପୁରା ବିଶ୍ୱ ଦେଖିଲା ଓଡିଶା ସରକାରଙ୍କ ଅପାରଗତା । ମ୍ୟାଚ୍ ଚାଲିଥିବା ବେଳେ ୨୬ ମିନିଟ୍ ଫ୍ଲଡ ଲାଇଟ୍ କଟିଗଲା । ଭାରତ ବର୍ଷରେ କେବେ ଏପରି ଦେଖା ଦେଇନଥିଲା । ବାରବାଟୀ ମ୍ୟାଚ୍‌ ଦାୟିତ୍ୱ OCA ନୁହେଁ, ବିଜେପି ମ୍ୟାଚ୍ ଦାୟିତ୍ୱ ନେଇଥିଲା । ଯେଉଁଠି ପାଇଁ ଟିକେଟ ବିକ୍ରି ଠାରୁ ଆରମ୍ଭ କରି ଖେଳ ଯାଏ ବିଭ୍ରାଟ ଘଟିଲା । ବିଜେପି OCAକୁ ସୀମିତ କରିଦେଲା । ଯେଉଁଥି ପାଇଁ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଲା । ଓଡ଼ିଶା ପୁରା ବିଶ୍ୱରେ ଲଜ୍ଜିତ ହେଲା । ସରକାର ଓ କ୍ରୀଡ଼ା ମନ୍ତ୍ରୀ ଅପାରଗତାକୁ ବି ବିଶ୍ବ ଦେଖିଲା । ଆଗରୁ ବହୁତ ଥର ଖେଳ ହୋଇଛି, ହେଲେ ଏତେ ଅବ୍ୟବସ୍ତା ଦେଖାଯାଇ ନଥିଲା ।

ସେ କହିଛନ୍ତି କ୍ରୀଡାମନ୍ତ୍ରୀଙ୍କ ମନ୍ତବ୍ୟରୁ ଜଣା ପଡୁଛି ଯେମିତି ଗାଁ କ୍ରିକେଟ ମ୍ୟାଚ୍ ହେଉଥିଲା । ସବୁବେଳେ ଭିଆଇପି ଓ ପାସ ଦିଆଯାଏ । ଏଥିରେ କିଛି ନୂଆ ନୁହେଁ । ବିଜେପି OCAର ଦାୟିତ୍ୱ ସୀମିତ କରି ନିଜେ ସବୁ କରିବାକୁ ଚାହିଁଲା, ଗାଁ ମ୍ୟାଚ୍ ପରି। ଯାହା ଓଡ଼ିଶାକୁ ଆଜି ବିଶ୍ଵ ଦରବାରରେ ବଦନାମ କଲା ।

ଏନେଇ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ବାରବାଟୀ ଏକ ଐତିହ୍ୟ ସମ୍ପନ୍ନ ଷ୍ଟାଡିୟମ। ବାରବାଟୀରେ ପୂର୍ବ ସରକାର ଖାଲି ନଡ଼ିଆ ବାଡ଼େଇ ପଳେଇଲେ। ହେଲେ ଟଙ୍କାଟେର ବ୍ୟବସ୍ଥା କରି ନାହାନ୍ତି । ଆମେ ଭାବିଥିଲୁ ସେ କିଛି କରିଛନ୍ତି ବୋଲି। ଦେଖିଲା ବେଳକୁ ଅମାର ଘର ଶୂନ।

ବାରବାଟୀ ପାଇଁ ଆମେ ଲୋକଙ୍କ ସହ କଥା ହେବୁ। କଣ କରାଯାଇ ପାରିବ ଦେଖିବୁ। ତାକୁ ବିଚାର କରି ଆମେ କହି ପାରିବୁ କେମିତି ବିକାଶ କାର୍ଯ୍ୟ କରାଯିବ ।

ଏହା ସହିତ ‌ସୂର୍ଯ୍ୟବଂଶୀ ସୁରଜ, ଟିକେଟ କଳାବଜାରୀ ନେଇ କହିଛନ୍ତି ଏହା ଗ୍ରହଣୀୟ ନୁହେଁ । ଟିକେଟ କିମ୍ବା ପାସ କଳାବଜାରୀ ହେବା, ଗ୍ରହଣ କରାଯିବନି । ଏନେଇ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ଅଭିଯୁକ୍ତ ଧରା ପଡିଛନ୍ତି । ଆଗାମୀ ଦିନରେ ଆହୁରି ବ୍ୟବସ୍ଥିତ ଢଙ୍ଗରେ ବାରବାଟୀରେ ମ୍ୟାଚ୍ କରିବାକୁ ବ୍ୟବସ୍ଥା ହେଉଛି ।