ବାରବାଟୀ ଫ୍ଲଡ୍ ଲାଇଟ୍ ବିଭ୍ରାଟ ଘଟଣା : ଓସିଏକୁ କାରଣ ଦର୍ଶାଅ ନୋଟିସ୍
ଭୁବନେଶ୍ବର(ସଂକେତ ଟିଭି): ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ଚାଲୁଥିବା ବେଳେ ଫ୍ଲଡ୍ ଲାଇଟ୍ ବନ୍ଦ ହେବା ପ୍ରସଙ୍ଗରେ ରାଜ୍ୟ ସରକାର ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । କାହିଁକି ମ୍ୟାଚ୍ ବେଳେ ଲାଇଟ୍ ବନ୍ଦ ହେଲା ଉତ୍ତର ରଖିବାକୁ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ପାଇଁ ଦାୟୀ କିଏ ତାହା ୧୦ ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ” କେଉଁ କରାଣରୁ ଷ୍ଟାଡିମୟରେ ମ୍ୟାଚ ମଧ୍ୟରେ ଏପରି ଘଟଣା ଘଟିଲା, ସେନେଇ କ୍ରୀଡା ବିଭାଗ ଓସିଏକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ମ୍ୟାଚ ଦାୟିତ୍ୱରେ ଅନେକ ସବ କମିଟି ଥିଲେ । ବିଦ୍ୟୁତ ଦାୟିତ୍ୱ ବି ଗୋଟେ କମିଟି ନେଇଥିଲା । କେଉଁ କମିଟି ଏହି ଦାୟିତ୍ୱରେ ଥିଲା, ତାହା ଓସିଏକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ଦିନ ଭିତରେ ସେମାନେ ଜବାବ ରଖିବେ । କଣ ପାଇଁ ବ୍ୟାକଅପ ଜେନେରଟର ଠିକ ସମୟରେ ପହଞ୍ଚି ପାରିଲା ନାହିଁ ? ଲାଇଟ ଲିଭିବା ବଡ କଥା ନୁହେଁ । କିନ୍ତୁ ବିଳମ୍ବ ହେବା ବଡ଼ କଥା । ମୁଁ ଡିସିପିଙ୍କୁ ସେହି ବ୍ୟକ୍ତିଙ୍କୁ ଗିରଫ କରିବାକୁ କହିଥିଲି । କେଉଁ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଓ ପରିବହନ ଦାୟିତ୍ୱ ନେଇଥିଲେ । ଖୋଲତାଡ଼ ହେବା ଦରକାର। ମୁଁ ଆଶ୍ୱାସନା ଦେଉଛି ଓଡ଼ିଶାକୁ ଆହୁରି ମ୍ୟାଚ ଆସିବ। ଆଗକୁ ହେବାକୁ ଥିବା ମ୍ୟାଚ ପାଇଁ ଆମେ ପ୍ରସ୍ତୁତ ରହିବୁ । ”
ସୂଚନାଯୋଗ୍ୟ, ଐତିହାସିକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମ ରବିବାର ବଡ଼ ବିଭ୍ରାଟ ଦେଖାଯାଇଥିଲା। ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ଦିବାରାତ୍ର ମ୍ୟାଚ୍ ବେଳେ କିଛି ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା। ଫଳରେ ଅଧାବାଟରେ ମ୍ୟାଚ୍ ପ୍ରାୟ ଅଧଘଣ୍ଟା ଅଟକିଥିଲା।