ମହାକୁମ୍ଭରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ପ୍ରୟାଗରାଜ (ସଂକେତ ଟିଭି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରୟାଗରାଜ ଗସ୍ତ କରି ମହାକୁମ୍ଭରେ ବୁଡ଼ ପକାଇଛନ୍ତି । ଶ୍ବେତ ବର୍ଣ୍ଣର ପୋଷାକ ପରିଧାନ କରି ରାଷ୍ଟ୍ରପତି ତ୍ରିବେଣୀ ସଙ୍ଗମରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ମନ୍ତ୍ର ଉଚ୍ଚାରଣ କରିଥିଲେ । ସାଙ୍ଗରେ ତାଙ୍କର ଝିଅ ମଧ୍ୟ ଉପସ୍ଥିତ ଥିଲେ ।
ସୂଚନା ଅନୁସାରେ, ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନା ସ୍ବତନ୍ତ୍ର ବିମାନରେ ପ୍ରୟାଗରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ପ୍ରଟୋକଲ୍ ଅନୁସାରେ ରାଜ୍ଯପାଳ ଆନନ୍ଦିବେନ ପଟେଲ୍ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିମାନ ବନ୍ଦରରେ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ । ସେଠାରୁ ସିଧା ରାଷ୍ଟ୍ରପତିଙ୍କ କାରକେଡ୍ ମହାକୁମ୍ଭ ସ୍ଥଳ ତ୍ରିବେଣୀ ସଙ୍ଗମ ‘ସଙ୍ଗମ ନୋଜ’ ପହଞ୍ଚିଥିଲା । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆଧ୍ୟାତ୍ମିକତାର ମହାକୁମ୍ଭରେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ମଧ୍ୟ ସ୍ନାନ କରିଛନ୍ତି ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ଶିଳ୍ପପତି, ସେଲିବ୍ରିଟି ଓ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ କୁମ୍ଭରେ ବୁଡ ପକାଇସାରିଛନ୍ତି ।