FeaturedLatestNewsPolitics

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଭାବେ ନିଯୁକ୍ତ ହେଲେ ଭକ୍ତ ଚରଣ ଦାସ  

ଭୁବନେଶ୍ବର(ସଂକେତ ଟିଭି): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭାବେ ନିଯୁକ୍ତ କରାଯାଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସଂପାଦକ କେସି ବେଣୁଗୋପାଳ ମଙ୍ଗଳବାର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଦିର୍ଘ ଦିନର ଅପେକ୍ଷା ପରେ ଆଜି ଏନେଇ ଘୋଷଣା କରିଛି ଏଆଇସିସି । କଂଗ୍ରେସର ଏକ୍ସ ଆକାଉଣ୍ଟରେ ଏନେଇ ପୋଷ୍ଟ କରାଯାଇଛି । ଏଥିରେ ଲେଖାଯାଇଛି, ‘କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି ।’

ପିସିସି ସଭାପତି ଭାବେ ନିଯୁକ୍ତି ହେଲା ପରେ ଭକ୍ତ ଦାସ କହିଛନ୍ତି, ଯୁବ ଓ ବରିଷ୍ଠଙ୍କୁ ନେଇ କାମ କରିବି। କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେଘରେ ପହଞ୍ଚାଇବୁ। ସମସ୍ତେ ମୋତେ ସହଯୋଗ କରିବେ ବୋଲି ଆଶା କରୁଛି। ଗାନ୍ଧି ପରିବାର ମୋତେ ପୂର୍ବରୁ ଅନେକ ଦାୟିତ୍ବ ଦେଇଛନ୍ତି।

୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟର ପିସିସି ଭଙ୍ଗ ହୋଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକ ଇସ୍ତଫା ଦେଇଥିବା ବେଳେ ଅନ୍ୟ ସମସ୍ତ ସାଂଗଠନିକ ପଦପଦବୀକୁ ଭଙ୍ଗ କରିଥିଲା ଏଆଇସିସି । ତାପର ଠାରୁ ରାଜ୍ୟର ପରବର୍ତ୍ତୀ ପିସିସି ସଭାପତି କିଏ ହେବ, ସେନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା ।