EducationFeaturedLatestNews

ନବମ-ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ବର(ସଂକେତ ଟିଭି): ଏଣିକି ମଧ୍ୟାହ୍ନ ଭୋଜନରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସାମିଲ ହେବେ। କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ବଡ଼ ଘୋଷଣା କରିଛନ୍ତି। ବର୍ତ୍ତମାନ କ୍ଷେତ୍ରରେ ବିଦ୍ୟାଳୟରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ଛାତ୍ର ଯାଏଁ ବିଦ୍ୟାଳୟରେ ମଧ୍ୟାହ୍ଣ ‌‌ଭୋଜନ ଦିଆଯାଉଛି। କିନ୍ତୁ ଆଗାମୀ ଦିନରେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ମଧ୍ୟ ଭଲ ଖବର ଆଣିଛନ୍ତି। ଅଙ୍ଗନବାଡ଼ି କର୍ମୀମାନଙ୍କୁ ୨୦୦ ଟଙ୍କା ବଦଳରେ ୨୫୦ ଟଙ୍କା, ଏବଂ ଅଙ୍ଗନବାଡ଼ି ସହାୟକମାନଙ୍କୁ ୫୦ ଟଙ୍କା ପରିବର୍ତ୍ତେ ୧୫୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ଉଭୟ ଯୋଜନାର ସମ୍ମିଳିତ କାର୍ଯ୍ୟକାରିତା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୫୧୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ୧୧୫.୯୭ କୋଟି ଟଙ୍କା ପ୍ରଦାନ କରିବାବେଳେ ରାଜ୍ୟ ସରକାର ୩୯୫.୭୫ କୋଟି ଟଙ୍କା ଯୋଗାଇ ଦେବେ। ଏହା ଦ୍ୱାରା ପ୍ରାୟ ୪ ଲକ୍ଷ ୫୦ ହଜାର ଗର୍ଭବତୀ ଓ ପ୍ରସୂତି ମହିଳା ଉପକୃତ ହେବେ।