CrimeFeaturedLatestNews

ନିରଞ୍ଜନଙ୍କ ଘରୁ ଚୋରି କରିଥିବା ଅନ୍ତରାଜ୍ୟ ଚୋର ସ୍ପାଇଡର ଶକ୍ତି ଗିରଫ

ଭୁବନେଶ୍ବର (ସଂକେତ ଟିଭି): ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋରୀ କରିଥିବା ଲୁଟେରାକୁ କମିଶନରେଡ୍ ପୋଲିସ ଗିରଫ କରିଛି । ଏହି ହାଇପ୍ରୋଫାଇଲ ଚୋର ନାଁ ହେଲା ସ୍ପାଇଡର ଶକ୍ତି ଓରଫ କେ.ସତୀ ରେଡ୍ଡୀ । ସେ ବିଶାଖାପାଟଣାରେ ରହୁଥିବା ନେଇ ପୋଲିସ ସନ୍ଦେହ କରୁଛି ।

ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ଘରୁ ଲୁଟ୍‌ କରିବା ପରେ ସ୍ପାଇଡର ଝାଡଖଣ୍ଡ,ଛତିଶଗଡ ଯାଇ ଆନ୍ଧ୍ରପ୍ରଦେଶରେ ଲୁଚିଥିଲା । ଅନେକ ଦିନ ପରେ ପୋଲିସ ବିଜୟୱାଡାରୁ ସ୍ପାଇଡରକୁ ଗିରଫ କରିଛି । ସ୍ଥାନୀୟ କୋର୍ଟରେ ହାଜର ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ସ୍ପାଇଡରକୁ କମିଶନରେଟ୍‌ ପୋଲିସ ଆଣିଛି । ଲୁଟ୍‌ ଘଟଣାରେ ତା ସହ କେଉଁମାନେ ସଂପୃକ୍ତ ଏସବୁର ଖୋଳତାଡ କରୁଛି ପୋଲିସ ।

ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ କହିଛନ୍ତି,‘ ଏହି ଅନ୍ତରାଜ୍ୟ ଚୋର ଧନୀ ଲୋକଙ୍କୁ ଖୋଜି ଖୋଜି ଓ ଗୁଗଲରେ ସେମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଲୁଟ କରୁଥିଲା । ତେଣୁ ଏହି ହାର୍ଡକୋର ଲୁଟେରାକୁ ଧରିବା ପାଇଁ ପୋଲିସ ୪୦୦ରୁ ଊର୍ଦ୍ଧ୍ବ CCTV, ୧୦ ହଜାର ଫୋନ ନମ୍ବର ଯାଞ୍ଚ କରିଥିଲା । ଏହାସହ ୫୦ ଜଣ ଲୋକଙ୍କ ପୂର୍ବ ହିଷ୍ଟ୍ରି ଉପରେ ତର୍ଜମା କରିବା ପରେ ଯାଇ ଲୁଟେରା ପାଖରେ ପହଞ୍ଚି ପାରିଛି ପୋଲିସ ।’

ସେ କହିଛନ୍ତି, ‘ବରମୁଣ୍ଡା ଠାରୁ CCTV ଚେକ୍ କରିବା ଆରମ୍ଭ କରି ଆନ୍ଧ୍ର ପ୍ରଦେଶର ସମସ୍ତ ଟୋଲ ପ୍ଲାଜା CCTV ଯାଞ୍ଚ କରିବା ପରେ ପୋଲିସ ଏହି ଚୋରକୁ ଧରିଛି । ଓଡିଶା, ଆନ୍ଧ୍ର, ତେଲେଙ୍ଗାନା, କେରଳ ଓ ମହାରାଷ୍ଟ୍ର ଯାଇ ପୋଲିସ ଲୁଟେରାକୁ ଧରିବା ପାଇଁ ଡେରା ପକାଇଥିଲା । ଲୁଟେରା ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ସ୍ପାଇଡର ଶକ୍ତି ଓରଫ କେ.ସତୀ ରେଡ୍ଡୀ ନାମରେ ପରିଚିତ ।

ସେ କହିଛନ୍ତି, ‘କୌଣସି ପ୍ରମାଣ ନ ରଖିବାକୁ ମାକ୍ସ ଓ ଗ୍ଳୋବ୍ସ ଲଗାଇ ସମ୍ପୂର୍ଣ୍ଣ ମୁହଁକୁ ଘୋଡାଇ ଚୋରି କରୁଥିଲା ଏହି ପେଶାଦାର ଚୋର । ଭୁବନେଶ୍ୱର ଓ କଟକ ଡିସିପିଙ୍କ ସହ ସ୍ପେଶାଲବ୍ରାଞ୍ଚ ପୋଲିସର ସହାୟତାରେ ୪ ରାଜ୍ୟ ବୁଲି ୪ ରୁ ୫ ଜଣଙ୍କୁ ସନ୍ଦିଗ୍ଧଙ୍କୁ ତଦନ୍ତରେ ନେବା ପରେ ଏହି ଚୋରକୁ ଧରାଯାଇଥିଲା ।

ତେବେ ଏହି ଅନ୍ତରାଜ୍ୟ ଚୋରା ସ୍ପାଇଡର ଶକ୍ତି କମିସନରେଟ ପୋଲିସ ହାତରେ ଧରାପଡିଥିବା ବେଳେ ନିରଞ୍ଜନ ଘରୁ ଚୋରି ହୋଇଥିବା ସମସ୍ତ ଅଳଙ୍କାର ଜବତ ହୋଇଛି । ନିରଞ୍ଜରଙ୍କ ଅଳଙ୍କାର ସହ ଏକ କାର ମୋବାଇଲ ଫୋନ ଓ ବିପୁଳ ପରିମାଣର ହୀରା ଗହଣା ଜବତ ହୋଇଛି । ସାତ ଲକ୍ଷ ଟଙ୍କା ସହ ଏକ କୋଟିର ହୀରା ଓ ସୁନା ଗହଣା ଜବତ ହୋଇଛି ।

ସୂଚନା ଅନୁସାରେ, ଜାନୁଆରୀ ୨୬ ତାରିଖ ବିଳମ୍ବିତ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଥିଲା । ଘରେ ପଶିଥିବା ଚୋରର ହରକତ ସବୁ ସିସିଟିଭିରେ କଏଦ ହୋଇଥିଲା । ଯାହାକୁ ନେଇ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଥିଲା । ନିଜେ ନିରଞ୍ଜନ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇବା ସହ ରାଜଧାନୀରେ ଜନସାଧାରଣ ସୁରକ୍ଷିତ ନୁହଁନ୍ତି ବୋଲି କହିଥିଲେ ।