ରେମୁଣା ତହସିଲଦାରଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍
ବାଲେଶ୍ବର(ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ । ଚଢାଉ ସମୟରେ ଆୟବହିର୍ଭୂତ ସମ୍ପତ୍ତି ମିଳିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।
ଗତକାଲି ଭିଜିଲାନ୍ସ ପକ୍ଷରୁ ବିଦ୍ୟାଧର ପତିଙ୍କ ଘର, କାର୍ଯ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା । ଭିଜିଲାନ୍ସ ଟିମ୍ ରେମୁଣା ତହସିଲ କାର୍ଯ୍ୟାଳୟ, ସୋର ଅଇଁରୀସ୍ଥିତ ପୈତୃକ ଘର, ଭୁବନେଶ୍ୱରର ୩ଟି ସ୍ଥାନ, ବାଲେଶ୍ବରର କୁରୁଡ଼ା ଓ ସୋରରେ ଚଢ଼ଉ କରିଥିଲା । ଗିରଫ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଭୁବନେଶ୍ୱରରେ ୨.୫କୋଟିର ୨ଟି ଫ୍ଲାଟ ଏବଂ ବାଲେଶ୍ୱରରେ ଗୋଟିଏ ଫ୍ଲାଟ ରହିଛି। ଭୁବନେଶ୍ବର ଶୈଳଶ୍ରୀବିହାରରେ ୧୪୬୦ ବର୍ଗଫୁଟ୍ର ୩ ବିଏଚ୍କେ ଫ୍ଲାଟ୍ ଓ ରୁଦ୍ରପୁର ଅଞ୍ଚଳରେ ୧୪୨୨ ବର୍ଗଫୁଟର ୩ ବିଏଚ୍କେ ଫ୍ଲାଟ୍ ରହିଛି । ସେହିଭଳି ତାଙ୍କର ବାଲେଶ୍ବର ସହର କୁରୁଡ଼ାସ୍ଥିତ ସୁପ୍ରତୀକ ଆପାର୍ଟମେଣ୍ଟ୍ରେ ୧୫୫୪ ବର୍ଗଫୁଟ୍ର ଏକ ଫ୍ଲାଟ୍ ରହିଛି । ଉଭୟ ଭୁବନେଶ୍ବର ଓ ବାଲେଶ୍ବରରେ ୨ଟି ପ୍ଲଟ୍ ମିଳିଥିଲା । ଏହା ସହିତ ୯୩୭ ଗ୍ରାମର ସୁନା, ୧.୧୨କୋଟିର ଡିପୋଜିଟ ଠାବ କରାଯାଇଛି। ବିଦ୍ୟାଧର ଓ ପତ୍ନୀଙ୍କ ନାମରେ ଦେଢ଼ କୋଟିର ପୋଷ୍ଟାଲ ଓ ବ୍ୟାଙ୍କ ଜମା ଥିବା ଜଣାପଡ଼ିଛି। ୨୦୨୨ରୁ ୨୦୨୪ ମଧ୍ୟରେ ୨ ବର୍ଷରେ ଦେଢ଼ କୋଟିର ଜମା ଠାବ ହୋଇଛି। ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ୟୁକୋ ବ୍ୟାଙ୍କରେ ତାଙ୍କ ପତ୍ନୀଙ୍କ ଏକ ବ୍ୟାଙ୍କ ଲକର୍ ରହିଥିବା ସୂଚନା ମିଳିଛି। ଗିରଫ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଆୟ ଠାରୁ ୨୦୨୪% ଅଧିକ ସମ୍ପତି ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।