FeaturedLatestNews

ବକେୟା ପାଇବେ ସିଆରପି, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ର

ଭୁବନେଶ୍ବର(ସଂକେତ ଟିଭି): ରାଜ୍ୟ ସରକାର ସିଆରପି, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରଙ୍କ ୧୦ ମାସର ବକେୟା ଦରମା ପ୍ରଦାନ କରିବେ । ନୂଆ ସରକାର ଗତବର୍ଷ ଏପ୍ରିଲରୁ ୧୦ ମାସର ବକେୟା ଦରମା ଦେବେ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରିଛନ୍ତି। ଏଥିରୁ ୬୨ ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ ଉପକୃତ ହେବେ।

ସୂଚନା ଅନୁସାରେ, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରଙ୍କ ପାରିଶ୍ରମିକ ଗତବର୍ଷ ଏପ୍ରିଲରୁ ବାକି ରହିଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଓଡ଼ିଶା ଜୀବିକା ମିଶନ ୨୦୧୨ ମସିହା ଏପ୍ରିଲ ୧ ତାରିଖରୁ କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାର ଆଭିମୁଖ୍ୟ ଅନୁଯାୟୀ ଗ୍ରାମୀଣ ପରିବାରମାନଙ୍କର ଜୀବନ ଜୀବିକାରେ ଉନ୍ନତି ନିମନ୍ତେ ସୟଂ ସହାୟକ ଗୋଷ୍ଠୀ ଗଠନ କରି ପରିବାରର ମହିଳାମାନଙ୍କୁ ସାମିଲ କରାଯାଉଛି । ପୁନର୍ବାର ଏହି ସୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ ସାମାଜିକ ତଥା ଅର୍ଥନୈତିକ ସହାୟତା ପ୍ରଦାନ କରିବା ପାଇଁ ସେମାନଙ୍କୁ ଗ୍ରାମ ଓ ପଞ୍ଚାୟତସ୍ତରରେ ସଂଗଠିତ କରାଯାଉଅଛି। ଏହି ସୟଂ ସହାୟକ ଗୋଷ୍ଠୀ (SHG), ଆଞ୍ଚଳିକ ମଞ୍ଚ (CLF) ଏବଂ ଗ୍ରାମ ପଞ୍ଚାୟତ ସଂଘ (GPLF)ଗୁଡିକୁ ସୁଦୃଢ ଓ ସଶକ୍ତ କରିବା ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କୁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ଦାରା ନିଯୁକ୍ତି ଦିଆଯାଇଥିଲା ।

କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ମଧ୍ୟରେ Community Resource Person for Community Mobilization (CRP-CM), Master Book Keeper (MBK), Bank Mitra ଓ Prani Mitra ଅନ୍ତର୍ଭୁକ୍ତ ଅଟନ୍ତି । ରାଜ୍ୟରେ ମୋଟ ୬୨,୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନିଯୁକ୍ତ କରାଯାଇଥିଲା। ଗତବର୍ଷ ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ସିଆରପି, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରଙ୍କ ପାରିଶ୍ରମିକ ଅଟକି ଯାଇଥିଲା। ଜୁନ୍‌ ପ୍ରଥମ ସପ୍ତାହରେ ସାଧାରଣ ନିର୍ବାଚନ ଫଳ ଆସିଲା। ରାଜ୍ୟରେ ସରକାର ବଦଳିଯିବା ପରେ ସିଆରପି, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରମାନେ ସଂକଟରେ ପଡ଼ିଯାଇଥିଲେ।