ଆମେରିକା ଠାରୁ ଅତ୍ୟାଧୁନିକ F-35 ବିମାନ କିଣିବ ଭାରତ
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତକୁ ଏଫ-୩୫ ଲାଇଟନିଂ-୨ ଲଢ଼ୁଆ ବିମାନ ଯୋଗାଇବା ପାଇଁ ଆମେରିକା ପ୍ରସ୍ତାବ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ ବୈଠକ ସମୟରେ ଏହି ପ୍ରସ୍ତାବ ଆସିଛି । ଏହି ପ୍ରସ୍ତାବ ଉପରେ ଭାରତ ଆଗ୍ରହ ଦେଖାଇଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ “ଆମେ ଭାରତକୁ ବହୁ ବିଲିୟନ ଡଲାର ସାମରିକ ବିକ୍ରୟ ବୃଦ୍ଧି କରିବୁ। ଆମେ ଭାରତକୁ ଏଫ-୩୫ ଲଢ଼ୁଆ ବିମାନ ଯୋଗାଇବା ପାଇଁ ପଥ ପ୍ରଶସ୍ତ କରୁଛୁ ।
ଏଫ-୩୫ ହେଉଛି ଏକ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ଯାହା ସୁପରସୋନିକ୍ ଗତିରେ ଅଦ୍ଭୁତ ଭାବରେ କାର୍ଯ୍ୟ କରିବାର କ୍ଷମତା ପାଇଁ ପ୍ରସିଦ୍ଧ। ଏଥିରେ ଉନ୍ନତ ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳୀ, ବଢିଆ ଡିଜାଇନ, ଅତ୍ୟାଧୁନିକ ସେନ୍ସର ଏବଂ ଅସାଧାରଣ ସୂଚନା ପ୍ରଦାନକାରୀ କ୍ଷମତା ରହିଛି। ଏଥିରେ ଲାଗିଛି ଆଡଭାନସ ଇଲେକଟ୍ରୋନିକ ଅସ୍ତ୍ରଶସ୍ତ୍ର, ଅତ୍ୟନ୍ତ ଦକ୍ଷ ସେନସର୍। ବହୁ ଦୂରରୁ ଶତ୍ରୁ ପକ୍ଷର ବିମାନ ଓ ଟାର୍ଗେଟକୁ ଏହା ଲକ୍ଷ୍ୟଭେଦ କରିପାରିବ।
ଏହି ବିମାନର ଦାମ୍ ବହୁତ ବେଶୀ ରହିଛି। ଏଣ୍ଟ୍ରି ଭର୍ସନର ଗୋଟିଏ ଏଫ-୩୫ ର ମୂଲ୍ୟ ୮ କୋଟି ଡଲାର। ଅର୍ଥାତ୍ ପ୍ରାୟ ୬୮୦ କୋଟି ଟଙ୍କା। ପ୍ରିମିୟମ ସେଗମେଣ୍ଟରେ ଏହାର ଦାମ୍ ପ୍ରାୟ ହଜାରେ କୋଟି ଟଙ୍କା। ଦାମ୍ ସହିତ ମେଣ୍ଟାନାନ୍ସ ମଧ୍ୟ ବହୁତ। ଏକ ଘଣ୍ଟା ଉଡ଼ିଲେ ଖର୍ଚ୍ଚ ହୋଇଥାଏ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ।
ଏହା ପୂର୍ବରୁ ଆମେରିକା ଏହି ବିମାନକୁ ଅଷ୍ଟ୍ରେଲିଆ, ବ୍ରିଟେନ, ଇଟାଲି, ନରୱେକୁ ବିକ୍ରି କରିଛି । ଜାପାନ, ଦକ୍ଷିଣ କୋରିଆ ଓ ଇସ୍ରାଏଲ ମଧ୍ୟ ଏହି ବିମାନ କିଣିବାକୁ ଅର୍ଡର ଦେଇଥିବା ଜଣାପଡ଼ିଛି। ଯଦି ଭାରତ ଏହି ଏଫ-୩୫ ବିମାନ କିଣେ, ତେବେ ନାଟୋ ସଦସ୍ୟ ନ ହୋଇ ମଧ୍ୟ ଏହି ବିମାନ ହାସଲ କରିବାରେ ପ୍ରଥମ ଦେଶ ହେବ ଭାରତ।