ଆମେରିକାରୁ ପୁଣି ଫେରିବେ ୧୧୯ ନିର୍ବାସିତ ଭାରତୀୟ
ନୂଆଦିଲ୍ଲୀ (ସଂକେତ ଟିଭି): ଆମେରିକାରେ ଥିବା ୧୧୯ ଭାରତୀୟ ନାଗରିକଙ୍କୁ ଆମେରିକା ପ୍ରତ୍ୟର୍ପଣ କରିଛି । ଆମେରିକାର ସାମରିକ ପରିବହନ ବିମାନ C-17 ଗ୍ଲୋବାଲମାଷ୍ଟର ଆସନ୍ତାକାଲି ରବିବାର ନିର୍ବାସିତ ଭାରତୀୟମାନଙ୍କୁ ନେଇ ଅମୃତସରର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବାକୁ ଯାଉଛି ।
ସୂଚନା ଅନୁଯାୟୀ ଦ୍ବିତୀୟ ପର୍ଯ୍ୟାୟ ବିମାନ ଫେବ୍ରୁଆରୀ ୧୬ ତାରିଖରେ ବାହାରିବ । ଏଥିରେ ଦ୍ବିତୀୟ ପର୍ଯ୍ୟୟରେ ଆସୁଥିବା ନିର୍ବାସିତ ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ପଞ୍ଜାବରୁ ରହିଛନ୍ତି । ପଞ୍ଜାବର ୬୭ ଜଣ, ହରିୟାଣାରୁ ୩୩ ଜଣ, ଗୁଜୁରାଟରୁ ୮ ଜଣ, ଉତ୍ତର ପ୍ରଦେଶରୁ ୩ ଜଣ, ରାଜସ୍ଥାନ ଏବଂ ମହାରାଷ୍ଟ୍ରରୁ ୨ ଜଣ ଏବଂ ଜମ୍ମୁ ଓ କାଶ୍ମୀର ଏବଂ ହିମାଚଳ ପ୍ରଦେଶରୁ ଜଣେ ଲେଖାଏଁ ବ୍ୟକ୍ତି ଅଛନ୍ତି ।
ସେପଟେ ଏହି ବିମାନ ଅମୃତସରରେ ଅବତରଣକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ ବିରୋଧ କରିଛନ୍ତି । ସେ କେନ୍ଦ୍ର ସରକାରଙ୍କୁ ସିଧା ସିଧା ଟାର୍ଗେଟ୍ କରିଛନ୍ତି । ପଞ୍ଜାବକୁ ବଦନାମ କରିବାକୁ କେନ୍ଦ୍ର ସରକାର ଚେଷ୍ଟା ଚଳାଇଛନ୍ତି । ତେଣୁ ବେଆଇନ ପ୍ରବାସୀଙ୍କୁ ନେଇ ଆସୁଥିବା ବିମାନକୁ ଅମୃତସର ବିମାନ ବନ୍ଦରରେ ଅବତରଣ କରିବାକୁ ଅନୁମତି ଦେଉଛନ୍ତି ।
ଅବୈଧ ଭାବରେ ଦେଶରେ ପ୍ରବେଶ କରିଥିବା କିମ୍ବା ଭିସା ଅବଧି ଅତିକ୍ରମ କରିଥିବା ବ୍ୟକ୍ତିମାନଙ୍କ ଉପରେ ଆମେରିକାର ଇମିଗ୍ରେସନ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଆମେରିକା ସରକାରଙ୍କ ପକ୍ଷରୁ ସେମାନଙ୍କୁ ସ୍ବଦେଶକୁ ପ୍ରତ୍ୟାର୍ପଣ କରାଯାଉଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପରେ ଏହି ନିର୍ବାସନ କରାଯାଇଛି ।