FeaturedLatestNewsPolitics

୯ ମାସ ପରେ କଂଗ୍ରେସକୁ ଫେରିଲେ ସୁର ରାଉତରାୟ

ଭୁବନେଶ୍ୱର (ସଂକେତ ଟିଭି): ବରିଷ୍ଠ ନେତା ସୁର ରାଉତରାୟ ନିଲମ୍ବନ ହଟିବା ପରେ ପୁଣି ଥରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଶନିବାର ସୁର କଂଗ୍ରେସ ଭବନରେ ମୁଣ୍ଡିଆ ମାରି ଭିତରକୁ ପଶିଛନ୍ତି। ଏହି ସମୟରେ ସୁରଙ୍କ ସହ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ ଥିଲେ। ୯ ମାସ ପରେ ଫେରିବାରୁ ଭାବବିହ୍ବଳ ହୋଇ କଂଗ୍ରେସ ନେତା କାନ୍ଦି ପକାଇଛନ୍ତି। ନିଲମ୍ବନ ହଟିବା ନିଷ୍ପତ୍ତି ପରେ କଂଗ୍ରେସ ଅଧ୍ୟକ୍ଷ ଓ ପିସିସି ସଭାପତି ଏବଂ ଯୁବ କଂଗ୍ରେସକୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି।

ସୁର କହିଛନ୍ତି, ୯ ମାସ ବହୁତ ଯନ୍ତ୍ରଣାରେ ଥିଲି । କିଛି କୁଚକ୍ରୀ ମୋତେ ଷଡ଼ଯନ୍ତ୍ର କରି ନିଲମ୍ବନ କରିଥିଲେ। ଆଜି ମୋ ମନ୍ଦିରକୁ ମୁଁ ଫେରିଲି, ବହୁତ ଖୁସି। ଆଉ କନ୍ଦଳ ରହିବନି, ମିଳିମିଶି ସଂଗଠନ ପାଇଁ କାମ କରିବୁ।

ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଦସ୍ତଖତରେ ଶୁକ୍ରବାର ଏକ ପ୍ରେସ ରିଲିଜ ଜାରି ହୋଇଛି । ଏହି ପ୍ରେସ ରିଲିଜ ମାଧ୍ୟମରେ ଶ୍ରୀ ଦାସ ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବିତ କିମ୍ବା ବହିଷ୍କୃତ ହୋଇଛନ୍ତି ସେମାନଙ୍କ ଉପରୁ ଆଦେଶ ପ୍ରତ୍ୟାହାର କରାଯାଇଛି । ଏହାସହ ଯେଉଁମାନେ କୌଣସି କାରଣରୁ ଦଳ ଛାଡ଼ିଛନ୍ତି ସେମାନଙ୍କୁ ମଧ୍ୟ କଂଗ୍ରେସକୁ ଫେରିଆସିବାକୁ ନିବେଦନ କରାଯାଇଛି । ପୂର୍ବରୁ ସୁର ୬ଥର ଜଟଣୀରୁ ବିଧାୟକ ହୋଇଥିବା ବେଳେ ବହୁ ଥର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।