FeaturedGeneralLatest

ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟି ୧୮ ମୃତ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ 

ନୂଆଦିଲ୍ଲୀ (ସଂକେତ ଟିଭି): ନୂଆଦିଲ୍ଲୀ ରେଳ ଷ୍ଟେସନରେ ଶନିବାର ରାତିରେ ଦଳାଚକଟା ଘଟି ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି । ଷ୍ଟେସନର ୧୪ ଏବଂ ୧୫ ନମ୍ବର ପ୍ଲାଟଫର୍ମରେ ପ୍ରବଳ ଭିଡ଼ ଯୋଗୁଁ ଏହି ଅଘଟଣ ଘଟିଛି ।

ରେଳ ଅଧିକାରୀଙ୍କ ଅନୁଯାୟୀ, ରବିବାର ଛୁଟିଦିନ ଥିବାରୁ ଶନିବାର ରାତିରେ ପ୍ରୟାଗରାଜ ଯିବା ପାଇଁ ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ପ୍ରବଳ ଭିଡ ହୋଇଥିଲା । ପ୍ରୟାଗରାଜ ଯାଉଥିବା ଟ୍ରେନ ଆସିବାରେ ବିଳମ୍ବ ହେବରୁ ଷ୍ଟେସନରେ ଭିଡ ବଢ଼ିଥିଲା । ବାରାଣସୀ ଯାଉଥିବା ଶିବଗଙ୍ଗା ଏକ୍ସପ୍ରେସ ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀମାନେ ଟ୍ରେନରେ ଚଢ଼ିବା ଆରମ୍ଭ କରିଥିଲେ । ଏପରି ପରିସ୍ଥିତିରେ ଭିଡ଼ ବଢ଼ିବା ସହ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଠେଲାପେଲା ଆରମ୍ଭ ହୋଇଥିଲା । ଭିଡ ଭିତରେ ଦଳାଚକଟା ହୋଇ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୦ ମହିଳା ଥିବାବେଳେ ୩ ଶିଶୁ ରହିଛନ୍ତି । ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୮ଟା ୩୦ ସମୟରେ ପ୍ଲାଟଫର୍ମ ନମ୍ବର ୧୪/୧୫ରେ ଘଟିଛି ।

କେନ୍ଦ୍ର ସରକାର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ରେଳବାଇ ମୃତକଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଓ ଆହତମାନଙ୍କୁ ୨.୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛି ।

ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ କରି ଲେଖିଛନ୍ତି, “ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ପ୍ରାଣହାନୀ ବିଷୟରେ ଜାଣି ମୁଁ ଗଭୀର ମର୍ମାହତ । ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା ।”

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ ଏକ୍ସରେ ଲେଖିଛନ୍ତି, “ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦୁର୍ଭାଗ୍ୟପୂର୍ଣ୍ଣ ଦଳାଚକଟା ପାଇଁ ମୁଁ ଗଭୀର ଭାବରେ ମର୍ମାହତ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପାଇଁ ମୋର ପ୍ରାର୍ଥନା । ଏହି ଦୁଃଖଦ ଘଟଣାରେ ପ୍ରଭାବିତ ହୋଇଥିବା ସମସ୍ତଙ୍କୁ ସହାୟତା କରିବା ପାଇଁ ସମ୍ପୂର୍ଣ୍ଣ ଟିମ୍‌ କାମ କରୁଛି ।” ସେ ଆହୁରି ଲେଖିଛନ୍ତି “ନୂଆଦିଲ୍ଲୀ ରେଳ ଷ୍ଟେସନରେ ପରିସ୍ଥିତି ନିୟନ୍ତ୍ରଣରେ ଅଛି । ଦିଲ୍ଲୀ ପୋଲିସ ଏବଂ RPF ପହଞ୍ଚିଛନ୍ତି । ଆହତମାନଙ୍କୁ ହସ୍ପିଟାଲକୁ ନିଆଯାଇଛି । ଭିଡ଼କୁ ଦୂର କରିବା ପାଇଁ ସ୍ବତନ୍ତ୍ର ଟ୍ରେନ୍ ଚଲାଯାଉଛି।”

ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଟ୍ବିଟ୍ କରି ଲେଖିଛନ୍ତି,”ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖଦ। ଷ୍ଟେସନରୁ ଆସୁଥିବା ଭିଡିଓଗୁଡ଼ିକ ଅତ୍ୟନ୍ତ ହୃଦୟ ବିଦାରକ। ନୂଆଦିଲ୍ଲୀ ରେଳ ଷ୍ଟେସନରେ ମୃତ୍ୟୁ ଘଟଣାରେ ମୋଦି ସରକାରଙ୍କ ପକ୍ଷରୁ ସତ୍ୟକୁ ଲୁଚାଇବାର ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ ଏବଂ ନିନ୍ଦନୀୟ। ଆମେ ଦାବି କରୁଛୁ ଯେ, ମୃତକ ଏବଂ ଆହତଙ୍କ ସଂଖ୍ୟା ଯଥାଶୀଘ୍ର ଘୋଷଣା କରାଯାଉ ଏବଂ ନିଖୋଜ ଲୋକଙ୍କ ପରିଚୟ ସ୍ପଷ୍ଟ କରାଯାଉ। ପୀଡିତଙ୍କ ପରିବାର ପ୍ରତି ଆମର ଗଭୀର ସମବେଦନା। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉ ।”