ରାଜ୍ୟରେ ଆସନ୍ତା ୧୯ରୁ ୩ ଦିନ ଯାଏଁ ବର୍ଷା ସମ୍ଭାବନା
ଭୁବନେଶ୍ବର(ସଂକେତ ଟିଭି): ଆସନ୍ତା ୧୯ରୁ ୨୧ ମଧ୍ୟରେ ୯ ଜିଲ୍ଲାରେ ବର୍ଷା ହେବ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ରାଜ୍ୟ ଉପରେ ଗୋଟିଏ ନିମ୍ନଚାପ ରେଖାର ପ୍ରଭାବ ରହିଛି। ଏଥିଯୋଗୁଁ ବର୍ଷା ହେବୁ । ୧୯ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଥିବା ବେଳେ ୨୦ ଓ ୨୧ରେ ଏହାଠାରୁ ଅଧିକ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଫେବ୍ରୁଆରୀ ୧୪ରୁ ୧୯ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୧୯ରୁ ପାଗରେ ପରିବର୍ତ୍ତନ ହେବ। ସେହିଦିନଠାରୁ ପରବର୍ତ୍ତୀ ୩ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। ସେହିପରି ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଫେବ୍ରୁଆରି ୨୦ରେ ବର୍ଷାର ତୀବ୍ରତାରେ ସାମାନ୍ୟ ବୃଦ୍ଧି ଘଟିବ। ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଦେଓଗଡ, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ ଏବଂ ବାଲେଶ୍ବରରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଦେଓଗଡ, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡା, ସମ୍ବଲପୁର, ରାୟଗଡା, ଗଜପତି, ଗଞ୍ଜାମ ଏବଂ ବାଲେଶ୍ବରରେ ହାଲୁକା କିମ୍ବା ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଫେବ୍ରୁଆରି ୨୧ରେ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା ଜାରି ରହିପାରେ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।