EducationFeaturedLatestNews

କିଟ୍ କ୍ୟାମ୍ପସ ହଷ୍ଟେଲରେ ବିଦେଶୀ ଛାତ୍ରୀଙ୍କ ଆତ୍ମହତ୍ୟା, କ୍ୟାମ୍ପସରେ ଉତ୍ତେଜନା, ଜଣେ ଗିରଫ

ଭୁବନେଶ୍ବର(ସଂକେତ ଟିଭି): କିଟ୍ ବିଶ୍ବବିଦ୍ୟାଳୟର ହଷ୍ଟେଲରେ ଜଣେ ନେପାଳ ଛାତ୍ରୀଙ୍କ ମୃତ ଦେହ ମିଳିବାକୁ ନେଇ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ରବିବାର ହଷ୍ଟେଲ ଭିତରୁ ଛାତ୍ରୀଙ୍କ ମୃତଦେହ ମିଳିଥିଲା । ଆତ୍ମହତ୍ୟା ଜନିତ ମୃତ୍ୟୁ ପାଇଁ ଜଣେ ଛାତ୍ର ତାଙ୍କୁ ଉସକାଇଥିବା ବା ଚାପ ପକାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଶିକ୍ଷାନୁଷ୍ଠାନ ପରିସରରେ ଉତ୍ତେଜନା ଲାଗି ରହିଛି। ପୋଲିସ ଛାତ୍ର ଅଦ୍ୱିକ ଶ୍ରୀବାସ୍ତବକୁ ଗିରଫ କରିଛି ।

ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ନେପାଳର ପ୍ରକୃତି ଲାମସେଲ । ସେ ଘରୋଇ ବିଶ୍ବବିଦ୍ୟାଳୟରେ ବିଟେକ କମ୍ପ୍ୟୁଟର ସାଇନ୍ସର ତୃତୀୟ ବର୍ଷର ଛାତ୍ରୀ । ଗତକାଲି ଅପରାହ୍ନ ସମୟରେ ଲେଡିଜ ହଷ୍ଟେଲରୁ ତାଙ୍କର ମୃତଦେହ ମିଳିଥିଲା । ଏନେଇ ପୋଲିସ ଖବର‌ ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ସହ ଉକ୍ତ ରୁମକୁ ସିଲ୍ କରିଥିଲା । ଏହା ପରେ ତାଙ୍କର ଜଣେ ସମ୍ପର୍କୀୟ ଭାଇ ସିଦ୍ଧାନ୍ତ ସିଗଦେଲ ଇନଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ରୁମରୁ ମୃତକଙ୍କ ଲାପଟପ୍ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।

ତାଙ୍କର ସହପାଠୀ ବନ୍ଧୁ ଅଦ୍ୱିକ ଶ୍ରୀବାସ୍ତବ ବି ସେହି ବିଟେକ୍ ତୃତୀୟ ବର୍ଷର ଜଣେ ଛାତ୍ର। ସେ ମଧ୍ୟ ଜଣେ ନେପାଳର ଛାତ୍ର। ଉଭୟ ମେକାନିକାଲ ଇଂଜିନିୟରିଂର ଛାତ୍ରଛାତ୍ରୀ ହୋଇଥିବାବେଳେ ପରସ୍ପରଙ୍କ ଭିତରେ ପ୍ରେମ ସଂପର୍କ ଥିଲା । ପ୍ରେମ ସଂପର୍କରେ ବିଫଳତା ଓ ମେନାମାଳିନ୍ୟ ଆତ୍ମହ୍ୟତାର କାରଣ ବୋଲି କିଟର ରେଜିଷ୍ଟ୍ରାର୍ ଜୟନାରାୟଣ ମହାନ୍ତି ଦର୍ଶାଇଛନ୍ତି।

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଗତକାଲି ରାତିରେ ଶିକ୍ଷାନୁଷ୍ଠାନ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ଛାତ୍ର‌ଛାତ୍ରୀ ଏହି ଘଟଣା ପଛରେ ଜଣେ ଛାତ୍ର ଯେ କି ତାଙ୍କୁ ଆତ୍ମହତ୍ୟା ପାଇଁ ଚାପ ପକାଉଥିବା ଅଭିଯୋଗ କରିଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ଛାତ୍ରଛାତ୍ରୀ । ଏହି ଘଟଣା ପାଇଁ କଲେଜ ଅଶାନ୍ତ ହୋଇପଡିଥିଲା । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ରାତି ସାରା ଛାତ୍ରଛାତ୍ରୀଙ୍କୁ ବୁଝାସୁଝା ପାଇଁ ଚେଷ୍ଟା କରାଯାଇଥିଲା । କିଛି ସିନିୟର୍ ଅଫିସର ରାତି ସାରା ଆଲୋଚନା ଜାରି ରଖିଥିଲେ । ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି, ପୁଅଟି ଝିଅଟିକୁ ହଇରାଣ କରୁଥିବା କଥା ସେ କିଟର ଇଣ୍ଟରନେସନାଲ୍ ରିଲେସନ୍‌ସ ଅଫିସ ବା IROରେ ଜଣାଇଥିଲା। ମାତ୍ର ବିଦେଶୀ ଛାତ୍ରଙ୍କ ସମସ୍ୟା ବୁଝୁଥିବା ଏହି ସେଲ୍ ଏହାର ସମାଧାନ ପାଇଁ ଅଧିକ ଉଦ୍ୟମ କରିନଥିଲା।

ସବୁ ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଛାଡ଼ିବାକୁ କିଟ୍‌ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ନେପାଳୀ ପିଲାମାନଙ୍କୁ ମାଡ଼ ମରାଯାଇ କ୍ୟାମ୍ପସରୁ ବାହାର କରି ଦିଆଯାଇଛି। ମାଡ଼ ମରା ଯିବା ବେଳର ଭଡିଓ ମଧ୍ୟ ଆସିଛି। ଏହାକୁ ନେଇ ସାରା ଦେଶ ସମେତ ନେପାଳରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିବାଦ ବଢ଼ୁଥିବାରୁ ପ୍ରଥମେ ନେପାଳୀ ଶିକ୍ଷାର୍ଥୀଙ୍କୁ ବିଦା କରି ଦେଇଥିବା କିଟ କର୍ତ୍ତୃପକ୍ଷ ନିଜ ସ୍ୱର ବଦଳାଇଛନ୍ତି। ସନ୍ଧ୍ୟା ସମୟରେ କିଟ କର୍ତ୍ତୃପକ୍ଷ ଗୋଟିଏ ନୋଟିସ ଜାରି କରି ନେପାଳୀ ଶିକ୍ଷାର୍ଥୀ ଚାହିଁଲେ କ୍ୟାମ୍ପସ ମଧ୍ୟରେ ରହିପାରିବେ ବୋଲି କହିଛନ୍ତି।