FeaturedLatestNewsPolitics

ବିଧାନସଭାରେ କିଟ୍ ପ୍ରସଙ୍ଗ: ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କଲେ ବିଜେପି ବିଧାୟକ

ଭୁବନେଶ୍ବର(ସଂକେତ ଟିଭି): କିଡ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ଆଜି ବିଧାନସଭାରେ ଶୂନ୍ୟକାଳରେ ତାତି ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗ ଉଠାଇ ବିଜେପି ବିଧାୟକ ବାବୁ ସିଂ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି।

ବାବୁ ସିଂ କହିଛନ୍ତି, କିଟ୍ ବହୁ ଜମିକୁ ଜବରଦଖଲ କରିଛି। ଜଙ୍ଗଲ ଜମିରେ ବେଆଇନ୍ ନିର୍ମାଣ ହୋଇଛି। ଏପରିକି ମନ୍ଦିର ନିର୍ମାଣ ବି ହୋଇଛି । ଯେଉଁମାନେ କିଟ୍ ର କନଷ୍ଟ୍ରକସନ୍ କାମ କରୁଛନ୍ତି ସେମାନେ କେଉଁ ଦଳର ତାର ତଦନ୍ତ ହେବା ଦରକାର । ଶାଗ ମାଛ ଦରରେ କିଟ୍ ଜମି କିଣିଛି। କିଟ୍ ଗୁଣ୍ଡା ଲଗାଇ ଜମି ମାଲିକଙ୍କଠାରୁ ଜମି ହାତେଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ବିଜେପି ବିଧାୟକ ସନ୍ତୋଷ ଖଟୁଆ ଏହି ମାମଲାରେ କହିଛନ୍ତି ଯେ, କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ତାପରର ଘଟଣା ପାଇଁ ଓଡ଼ିଶା ନିନ୍ଦିତ ହୋଇଛି। ଏଣେ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି କିଟ୍ ଘଟଣା ନେଇ ତଦନ୍ତ ହେବା ଦରକାର। ଠିକ୍ ସେହିପରି ଝାରସୁଗୁଡ଼ା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ବର୍ଷିଛନ୍ତି। ‌ତେଣେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ବିଚାର ବିଭାଗୀୟ ତଦନ୍ତ ନ ହେଲେ ସେ ଗୃହରେ ଧାରଣା ଦେବେ ବୋଲି ଧମକ୍ ଦେଇଛନ୍ତି ।