ରାଲିରେ ଯିବା ବେଳେ ଠେଲାପେଲାରେ କଂଗ୍ରେସ ସଭାପତି ଭକ୍ତ ଦାସ ଆହତ
ଭୁବନେଶ୍ବର(ସଂକେତ ଟିଭି): ରାଲି ସମୟରେ ଓଡ଼ିଶା କଂଗ୍ରେସ ସଭାପତି ଭକ୍ତ ଦାସ ପଡି ଯାଇ ଆହତ ହୋଇଛନ୍ତି। ଏୟାରପୋର୍ଟରୁ ବାହାରିବା ବେଳେ ସେ ମୁହଁ ମାଡି ତଳେ ପଡିଯାଇଥିଲେ । ଅଣନିଶ୍ୱାସୀ ହେବା ସହ ଡାହାଣ ହାତରେ ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ଭକ୍ତ ଦାସଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ।
ସୂଚନା ଅନୁସାରେ, ମଙ୍ଗଳବାର ପିସିସି ସଭାପତି ଓଡ଼ିଶାରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବାକୁ ଦଳୀୟ କର୍ମକର୍ତ୍ତାଙ୍କ ଭିଡ ଲାଗିଥିଲା। ଭକ୍ତଦାସ ପିସିସି ସଭାପତି ହେବା ପରେ ଅନେକ ନେତା କଂଗ୍ରେସକୁ ବାହୁଡିଥିଲେ । ତେବେ ଅନେକ ନେତାଙ୍କ ଘର ବାହୁଡ଼ା ପରେ କଂଗ୍ରେସ ପକ୍ଷରୁ ସଂକଳ୍ପ ସମାବେଶର ଆୟୋଜନ କରାଯାଇଥିଲା । ଯାହାକି ମଙ୍ଗଳବାର ସକାଳ ସମୟରେ ଏୟାରପୋର୍ଟରୁ ବାହାରି ଲିଙ୍ଗିପୁର ଅଭିମୁଖେ ଯାଇଥାନ୍ତା । ହେଲେ ଏୟାରପୋର୍ଟରୁ ରାଲି ବାହାରିବା ସମୟରେ ଘଟିଲା ଅଘଟଣ । ଏୟରପୋର୍ଟରୁ ବାହାରିବା ବେଳେ ଭକ୍ତ ମୁହଁ ମାଡି ତଳେ ପଡି ଯାଇଥିଲେ ।